୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୨୦ଟି ଓ ଡାହାଣ ପାର୍ଶ୍ୱର ୧୦ଟି, ଏହିପରି ମୋଟ ୩୦ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୦.୦୦ ମିମି ଓ ତଳମୁଣ୍ଡରେ ୦.୨୭ ମିମି ବର୍ଷା ରେକର୍ଡ ହୋଇଛି।

ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରାପ୍ତ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ୬୨୯.୫୨ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୬ ଲକ୍ଷ ୩୦ ହଜାର ୬୦୫ ଘନଫୁଟ୍‌ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୫ ଲକ୍ଷ ୩୦ ହଜାର ୨୪୬ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି।

ନିଷ୍କାସିତ ଜଳ ମଧ୍ୟରୁ ୩୦ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୪ ଲକ୍ଷ ୯୨ ହଜାର ୦୬୦ ଘନଫୁଟ୍‌ ଜଳ ମହାନଦୀକୁ ଛଡ଼ାଯାଉଛି। ସେହିପରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୩ ହଜାର ୬୯୯ ଘନଫୁଟ୍‌, ବରଗଡ଼ କେନାଲରେ ୩ ହଜାର ୬୫୧ ଘନଫୁଟ୍‌, ଶାସନ କେନାଲରେ ୫୦୦ ଘନଫୁଟ୍‌, ସମ୍ବଲପୁର କେନାଲରେ ୧୦୫ ଘନଫୁଟ୍‌ ଏବଂ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୧ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି।

Dharitri – Odisha’s No.1 Odia Daily

Share