ବନ୍ୟା ଯୋଗୁ ହାହାକାର: ୧୨ ଲକ୍ଷରୁ ଅଧିକ ଗର୍ଭବତୀ ସଙ୍କଟରେ…

ଇସଲାମାବାଦ, ୧୦।୯ : ପାକିସ୍ତାନରେ ବନ୍ୟା ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଅଥନୈତିକ ସଙ୍କଟ ଦେଶକୁ ଘେରି ରହିଥିଲା। ଏପରିସ୍ଥଳେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇଛି। ଦେଶର ଏକ ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳବନ୍ଦୀ ଲୋକେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛନ୍ତି ।

ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ବନ୍ୟା ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର ଜୀବନ ବିପଦ ରହିଥିବା ଉଲ୍ଲେଖ କରାଯାଇଛି। ବନ୍ୟା ଅଞ୍ଚଳରେ ଥିବା ରିଲିଫ କ୍ୟାମ୍ପରେ ବହୁ ସଂଖ୍ୟକ ଲୋକଙ୍କୁ ରଖାଯାଇଛି, କିନ୍ତୁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧାର ଅଭାବ ରହିଛି। ପାକିସ୍ତାନର ସିନ୍ଧ ପ୍ରଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।

ପାକିସ୍ତାନରେ ୩୩ ମିଲିୟନରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୧୨ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା, ଅସ୍ଥାୟୀ ଶିବିରରେ ରହୁଛନ୍ତି। ପାକିସ୍ତାନରେ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧୀ ଡ. ପଲିତା ଗୁନାରତ୍ନା ମହିପାଲ କହିଛନ୍ତି ବନ୍ୟା ଯୋଗୁଁ ୧୦ ପ୍ରତିଶତ ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନ ନଷ୍ଟ ହୋଇଯାଇଛି।

ସୂଚନାନୁସାରେ, ଆସନ୍ତା ମାସ ସୁଦ୍ଧା ପାକିସ୍ତାନର ପ୍ରାୟ ୭୦ ହଜାର ମହିଳାଙ୍କୁ ବିନା ଚିକିତ୍ସା ସହାୟତାରେ ସନ୍ତାନ ପ୍ରସବ କରିବାକୁ ପଡ଼ିବ। ଏହି ମହିଳାମାନେ ଅସ୍ଥାୟୀ ଶିବିରରେ ଅଛନ୍ତି ଏବଂ ଆବଶ୍ୟକ ସ୍ବାସ୍ଥ୍ୟ ସହାୟତା ସେମାନଙ୍କ ନିକଟରେ ପହଞ୍ଚିବା ବହୁତ କଷ୍ଟକର। ଏହି ଶିବିରଗୁଡିକରେ ସାପ, ମଶା ଠାରୁ ଆରମ୍ଭ କରି ଅନେକ ପ୍ରକାର ବିପଦ ରହିଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୧,୩୯୬ ରେ ପହଞ୍ଚିଛି। ସେହିପରି ଆହତଙ୍କ ସଂଖ୍ୟା ୧୨,୭୦୦ରୁ ଅଧିକ ଛୁଇଁଛି।

Share