ବ୍ୟାଙ୍କକ୍, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି ବୋଲି ସୋମବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିପର୍ଯ୍ୟୟ ପ୍ରତିରୋଧ ଏବଂ ପ୍ରଶମନ ବିଭାଗର ସୂଚନା ଅନୁଯାୟୀ, ସମଗ୍ର ଦେଶରେ ୩.୫ ନିୟୁତରୁ ଅଧିକ ଜନସାଧାରଣ ପ୍ରଭାବିତ ହୋଇ ରହିଛନ୍ତି।
ସପ୍ତାହାନ୍ତରୁ ସୋମବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା କାରଣରୁ ବ୍ୟାଙ୍କକ ଜଳମଗ୍ନ ହୋଇପଡ଼ିଥିଲା। ଫଳରେ ରାସ୍ତାଘାଟ ଏବଂ ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଥିଲା।
କିଛି ନିମ୍ନାଞ୍ଚଳରେ ବନ୍ୟାଜଳ ଏପର୍ଯ୍ୟନ୍ତ ରହିଥିଲେ ମଧ୍ୟ ସହରର ସ୍ଥିତିରେ ବହୁ ପରିମାଣରେ ଉନ୍ନତି ଆସିଛି। କ୍ରମାଗତ ପ୍ରବଳ ବର୍ଷା ଯୋଗୁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ବ୍ୟାଙ୍କକକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା।
ଥାଇଲାଣ୍ଡର ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଥାଇଲାଣ୍ଡର ଉପର ଭାଗର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ, ପ୍ରବଳ ପବନ ଏବଂ ବର୍ଷା ହେବାର ସମ୍ଭାବନା ରହିଛି, ଯାହାକି ବିଶେଷକରି ନିମ୍ନଞ୍ଚଳଗୁଡ଼ିକରେ ହଠାତ ବନ୍ୟା ଆସିବାର ଆଶଙ୍କାକୁ ବୃଦ୍ଧି କରୁଛି।