ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/କେନ୍ଦୁଝର,୨୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁ ନଦୀନାଳ ଫୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ପ୍ରଖର ସ୍ରୋତରେ କେନ୍ଦୁଝର ଜିଲା ଆନନ୍ଦପୁର,ପାଟଣା ଓ ମୟୂରଭଞ୍ଜ ଜିଲାର ଚଢ଼େଇଭୋଳରେ ୨ ଟ୍ରକ୍‌ ଓ ଗୋଟିଏ କାର୍‌ ଭାସି ଯାଇଛି। ୨ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇଜଣ ଭାସିଯାଇ ନିଖୋଜ ଥିବା ସୂଚନା ମିଳିଛି।
ଭଦ୍ରକ ଜିଲା ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରିଥିବା ବେଳେ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶି ବିଗ୍ରହ ବୁଡ଼ିଯାଇଛନ୍ତି। ସେହିପରି ବାଲେଶ୍ୱରର ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ଓ ସୋନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ଓ ବାଲିଆପାଳ ବ୍ଲକର ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଲୋକେ ଜଳଘେରରେ ରହିଛନ୍ତି। ସମୁଦ୍ର ଅଶାନ୍ତ ରହିଛି। ଫଳରେ ଭୋଗରାଇ ବ୍ଲକ ଅଧୀନ ସମୁଦ୍ରକୂଳିଆ ୧୩ ଗଁ। ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଲୁଣିପାଣି ମାଡ଼ି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି।
କେନ୍ଦୁଝର ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କୋଲକାତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଜିଲାର ସୋମାକୋଇ, ସୀତା, କାନଝରୀ, ଅରଡ଼େଇ, ମୂଷଳ, କୁଶେଇ, ସୋନା, ମୁର୍ଗା ଓ ରେମାଳ ଆଦି ନଦୀନାଳ ଭରପୂର ହୋଇଯାଇଛି। ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତ ଜଞ୍ଜାଳି ନାଳରେ ଏକ କାର ଭାସିଯାଇଛି। ଫଳରେ ସେଥିରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ବର୍ଷରେ ମୟୂରଭଞ୍ଜ ଜିଲା ବାରିପଦା ସହର ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ଗଛ ଉପୁଡ଼ିବା ସହ କୋଠା ଘର ଭୁଶୁଡି ପଡିଛି ା ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଙ୍ଗାହାର ନଦୀ ଫୁଲି ଉଠିଛି। ମାଣତ୍ରୀ-ଭୀମଦା ଚଟାଣ ରାସ୍ତା ପୋଲ ଉପରେ ଯାଉଥିବା ବେଳେ ଜଳ ସ୍ରୋତରେ ସ୍ନେହଲତା ମହାପାତ୍ର ନାମକ ଜଣେ ବୃଦ୍ଧା ଭାସିଯାଇଛନ୍ତି। ବେତନଟୀ-ଉଦଳା,ବଡ଼ସାହି-କୁଆମରା ଓ ବୈଶିଙ୍ଗା-ଉଦଳା ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି।