Categories: ଜାତୀୟ

କେରଳରେ ବନ୍ୟା: ଗଲାଣି ୫ ଜୀବନ, ଅନେକ ନିଖୋଜ

ଥିରୁଭାନନ୍ତପୁରମ୍‌, ୧୬।୧୦: ଆରବ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ କେରଳରେ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ଏନେଇ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। କୋଟାୟାମ ଜିଲାର କୂଟିକାଲ ପଞ୍ଚାୟତରେ ପ୍ରବଳ ବର୍ଷାରେ ଭୂସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ନିଖୋଜ ଅଛନ୍ତି। ଉକ୍ତ ଅଞ୍ଚଳ ପାଣି ଘେରରେ ରହିଛି। ଉଦ୍ଧାର କାର୍ଯ୍ୟରେ ନୌସେନାକୁ ନିୟୋଜିତ କରାଯାଇଛି। ସେହିପରି ବନ୍ୟାରେ ଥୋଡୁପୁଝାଠାରେ ଏକ କାର୍‌ ଭାସିଯିବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ନଦୀରେ ବନ୍ୟା ଆସିଛି। ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ କୋଟାୟାମ, ଏର୍ନାକୁଲମ, ଇଡୁକି, ଥ୍ରିଶୁର ଏବଂ ପଥନାମଥିଟ୍ଟା ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଅନ୍ୟ ୭ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଲୋକମାନେ ଆଗାମୀ ୨୪ ଘଣ୍ଟା ସତର୍କ ରହିବା ଲାଗି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅନୁରୋଧ କରିନ୍ତି। ଲୋକମାନେ ଘରେ ରହିବା ଲାଗି ଥିରୁଭାନନ୍ତପୁରମ ଜିଲାପାଳ ପରାମର୍ଶ ଦେଇଛନ୍ତି। ନେୟାର ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲିଦିଆଯାଇଛି। ଅନ୍ୟ କେତେକ ନଦୀବନ୍ଧ ଗେଟ୍‌ ଖୁବ୍‌ଶୀଘ୍ର ଖୋଲାଯିବ ବୋଲି ଜଣାପଡ଼ିଛି।

Share