ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ରବିବାର ଗଙ୍ଗାନଦୀ ଜଳ ପାଟନାରେ ସର୍ବୋଚ୍ଚ ସ୍ତର ଅତିକ୍ରମ କରିଥିବାରୁ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି। ପାଟନା-ଗୟା ସେକ୍ସନ ଅନ୍ତର୍ଗତ ପୁନ୍‌ପୁନ୍‌ ଓ ପର୍ସା ବଜାର ଷ୍ଟେଶନକୁ ସଂଯୋଗ କରୁଥିବା ରେଳଲାଇନ ବ୍ରିଜ୍‌ଠାରେ ବନ୍ୟାଜଳ ବିପଜ୍ଜନକ ସ୍ତରରେ ପ୍ରବାହିତ ହେଉଥିବାରୁ ପୂର୍ବ କେନ୍ଦ୍ରୀୟ ରେଲଓ୍ବେ ପକ୍ଷରୁ ଅନେକ ଟ୍ରେନ୍‌କୁ ବାତିଲ କରାଯିବା ସହ କେତେକ ଅନ୍ୟ ରୁଟ୍‌ରେ ଚଳାଚଳ କରୁଛି।
ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ବିଭିନ୍ନ ଜିଲାରେ ମୋଟ ୧୯୦ଟି ଗୋଷ୍ଠୀ ରୋଷଶାଳା ଚାଲିଛି। ଜଳାର୍ଣ୍ଣବ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ୧,୪୨୯ଟି ଡଙ୍ଗା ନିୟୋଜିତ ହୋଇଛି। ଏଥିସହିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌)ର ୨୭ ଟିମ୍‌, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌)ର ୧୦ ଟିମ୍‌ ବିଭିନ୍ନ ଜିଲାରେ ନିୟୋଜିତ ଅଛନ୍ତି।
ପାଟନାର ଗାନ୍ଧୀ ଘାଟଠାରେ ଗଙ୍ଗାନଦୀରେ ବନ୍ୟାଜଳ ରବିବାର ସକାଳେ ୫୦.୫୭ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା, ଯାହାକି ଗତ ଅଗଷ୍ଟ ୨୧ରେ ହୋଇଥିବା ବନ୍ୟା ସମୟର ଜଳସ୍ତରଠାରୁ ୦.୦୫ ମିଟର ଅଧିକ। ପଣ୍ଡରକଠାରେ ନଦୀ ଜଳସ୍ତର ୪୩.୯୨ ମିଟର ରହିଛି। ସେହିପରି ଡୁମାରିଆ ଘାଟ ଏବଂ ହାଜିପୁରଠାରେ ଗଣ୍ଡକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବାଲତାରା ଓ କୁର୍ସେଲାଠାରେ କୋଶୀନଦୀ ବିପଦ ସଙ୍କେତ ଉପରେ ରହିଛି। ସେହିପରି ଖାଗେରିଆଠାରେ ବୁଢ଼ୀ ଘଟକ ଏବଂ ହାଥିଡାହ, ଭାଗଲପୁର, କହଗାଁଓ, ବକ୍ସର ଏବଂ ମୁଙ୍ଗେରରେ ଗଙ୍ଗାନଦୀ ବିପଦ ସଙ୍କେତ ଟପିଛି। ଶ୍ରୀପାଲପୁରରେ ପୁନ୍‌ପୁନ୍‌ ନଦୀ, ବେନିବାଦଠାରେ ବାଗମତି ନଦୀ ଏବଂ ଦରଉଲିଠାରେ ଘାଘରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାପଡ଼ିଛି। ବିହାର ଓ ଝାଡ଼ଖଣ୍ଡରେ ଗତ ୫ ଦିନ ମଧ୍ୟରେ ୬୯.୧ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୫୫ ପ୍ରତିଶତ ଅଧିକ। ବିଭିନ୍ନ ନଦୀରେ ବନ୍ୟା ଆସିଥିବାରୁ ପାଟନା, ଭୋଜପୁର, ଶରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର, ଲକ୍ଷ୍ମୀସରାଇ ଏବଂ ଅରଓ୍ବାଲ ଜିଲାରେ ୨୨.୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ବର୍ଷା ଜାରି ରହିଥିବାରୁ ଆଗାମୀ ୩ ଦିନ ମଧ୍ୟରେ ସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା କରାଯାଉଛି।

Dharitri – Odisha’s No.1 Odia Daily

Share
Tags: biharflood