ବୈତରଣୀରେ ବନ୍ୟା

ଭଦ୍ରକ ଅଫିସ,୨୮ା୫: ୟାସ୍‌ ପ୍ରଭାବରେ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ ପରେ ଏବେ ବିପତ୍ତି ଆଣିଛି ବନ୍ୟା। ବୈତରଣୀରେ ବନ୍ୟା ଆସିବା ଯୋଗୁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହୋଇଛି। ଭଣ୍ଡାରିପୋଖରୀ ମାଳଦା ନିକଟ ଶରତା ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାରୁ, ଭଣ୍ଡାରିପୋଖରୀ – ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏଠାରେ ଜଳସ୍ତର ୧୮.୯୦ ମିଟରରେ ପ୍ରବାହିତ ହେଉଛି। ବନ୍ୟା ଜଳ କମୁଥିବାରୁ ଲୋକମାନେ ଆଶ୍ୱସ୍ତ ରହିଛନ୍ତି। ଏହି ବନ୍ୟା ଯୋଗୁ ଦୁଇଟି ବ୍ଲକର ବହୁ ତଳି ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକରେ ଦୁଇଟି ଓଡ୍ରାଫ୍‌ ଓ ଭଣ୍ଡାରିପୋଖରୀରେ ଗୋଟିଏ ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।