ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ଭଞ୍ଜନଗର ଅଞ୍ଚଳବାସୀଙ୍କ ପାଇଁ ଅପାର ଦୁଃଖ ଓ ଦୁର୍ଦ୍ଦଶା ଆଣିଦେଇଛି। ଭଞ୍ଜନଗର ସହରବାସୀ ଦୀର୍ଘ ବର୍ଷ ପରେ ଏଭଳି ଭୟଙ୍କର ବନ୍ୟା ଦେଖିଛନ୍ତି। ପୂର୍ବରୁ ବନ୍ୟା ହେଲେ ମଧ୍ୟ ସହରର ମୁଖ୍ୟ ସଡ଼କରେ ପାଣି ପ୍ରବେଶ କରୁ ନ ଥିଲା। କିନ୍ତୁ ଗତକାଲିର ବନ୍ୟାରେ ମୁଖ୍ୟ ସଡ଼କ ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ପ୍ରକୃତିର ଦାଉ ସାଙ୍ଗକୁ ମନୁଷ୍ୟକୃତ ତ୍ରୁଟି ଯୋଗୁ ବନ୍ୟାରେ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିଯାଇଛି। ବନ୍ୟାଜଳ ଘରେ ପଶିଯିବାରୁ ଲୋକେ ନିଜର ଆସବାବପତ୍ର ଓ ମୂଲ୍ୟବାନ ସାମଗ୍ରୀ ମଧ୍ୟ ବାହାର କରିବାକୁ ସୁଯୋଗ ପାଇ ନ ଥିଲେ। ଚାରିଆଡ଼େ ଜଳମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଲୋକଙ୍କ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି। ଜୀବନ ବଞ୍ଚାଇବା ପାଇଁ ଯିଏ ଯେଉଁଠି ପାରିଲେ ଆଶ୍ରୟ ନେଇଥିଲେ। ଅନେକ ଲୋକ ଛୋଟ ଛୋଟ ପିଲାଙ୍କୁ ଧରି ଭୋକ ଉପାସରେ ଭୟଭୀତ ଅବସ୍ଥାରେ ରାତି କାଟିଥିଲେ।
ଶୁକ୍ରବାର ବର୍ଷା କମିବା ସହ ବନ୍ୟାଜଳର ସ୍ତର ହ୍ରାସ ପାଇଛି। ତଥାପି ଲୋକଙ୍କ ମନରୁ ଭୟ ଦୂର ହୋଇନାହିଁ। ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବାରୁ ଗମନାଗମନ ସ୍ବାଭାବିକ ହୋଇପାରିନାହିଁ। କେତେକ ସ୍ଥାନରେ ବସ ଓ କାର୍ ମଧ୍ୟ ବନ୍ୟାଜଳରେ ଭାସିଯାଇଛି। ଏଭଳି ବିପର୍ଯ୍ୟୟ ଲୋକେ କେବେ ଦେଖି ନ ଥିବା କହିଛନ୍ତି।
ବର୍ତ୍ତମାନ ଲୋକଙ୍କ ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ପ୍ରତି ସରକାର ଓ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ବନ୍ୟା ପରବର୍ତ୍ତୀ ସମୟରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଏକ ବଡ଼ ଆହ୍ବାନ ହୋଇଛି। ବନ୍ୟା ଯୋଗୁ ବିଦ୍ୟୁତ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ ଆହୁରି ଅନେକ ଦିନ ଲାଗିପାରେ। ତେଣୁ ଅନ୍ୟ ଜିଲାରୁ ଅତିରିକ୍ତ କର୍ମଚାରୀ ଆଣି ବିଦ୍ୟୁତ, ସ୍ବାସ୍ଥ୍ୟ ଓ ଗମନାଗମନ ସେବାକୁ ତ୍ୱରିତ ସ୍ବାଭାବିକ କରିବା ଆବଶ୍ୟକ।
ଗତକାଲି ବନ୍ୟାର ଭୟାବହତା ଏତେ ଅଧିକ ଥିଲା ଯେ ପ୍ରଶାସନ ମଧ୍ୟ ଅନେକ ସ୍ଥାନରେ ପହଞ୍ଚି ପାରି ନ ଥିଲା। ଲୋକେ ଅସହାୟ ହୋଇ ଭାଗ୍ୟକୁ ଆଦରି ରହିଥିଲେ। ବନ୍ୟାରେ ଶହ ଶହ ଘର ଭାଙ୍ଗିଯାଇଥିବା ବେଳେ ଚାଷଜମିରେ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ଏବେ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ସହ ଭଞ୍ଜନଗର ଅଞ୍ଚଳରେ ଜନଜୀବନକୁ ସ୍ବାଭାବିକ କରିବା ଦିଗରେ ପ୍ରଶାସନ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।