ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଖୁଆପଦାଠାରେ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ତଳମୁଣ୍ଡରେ ଜଳପ୍ରବାହ ବଢ଼ୁଥିବାରୁ ନଦୀକୂଳିଆ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଆରଡି ନିକଟସ୍ଥ ମୁଁଆ, ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରାପାଟଣା ଓ ସୁନ୍ଦରପୁର ସମେତ ବହୁ ଗାଁର ଲୋକେ ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ରହିଛନ୍ତି। ପ୍ରଥମ ବନ୍ୟା ସମୟରେ ବୋଡକ ନିକଟରେ କୁଆଖିଆଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥର ପ୍ରାୟ ୩୦୦ ଫୁଟ ଅଂଶ ଦବି ନଦୀ ଆଡ଼କୁ ଢଳିଯାଇଥିଲା। ବର୍ତ୍ତମାନ ପୁଣି ଜଳସ୍ତର ବଢ଼ୁଥିବାରୁ ଏହି ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି।
ଅନ୍ୟପକ୍ଷରେ, ମୁଁଆ ଗାଁ ନିକଟ କଜଳାମାହାରାଠାରେ ଗତବର୍ଷ ପ୍ରାୟ ୩୦୦ ଫୁଟ ନଦୀବନ୍ଧ ବୈତରଣୀରେ ଲୀନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ସ୍ଥାୟୀ ମରାମତି ହୋଇନାହିଁ। ସେହିପରି ଷାଠିବାଙ୍କୁଡାରୁ ବୋଡକ ଖେଳପଡ଼ିଆ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ୯ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମାଟି ପକାଯିବା ସହ ପଥର ପ୍ୟାକିଂ କାମ କରାଯାଇଥିଲା। କିନ୍ତୁ କାର୍ଯ୍ୟର ମାନକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଦୁଇ ଦିନ ପୂର୍ବରୁ ପ୍ରାୟ ୨୦୦ ଫୁଟ ନଦୀବନ୍ଧର ମାଟି ଅତଡ଼ା ନଦୀଗର୍ଭକୁ ଚାଲିଯାଇଥିବା ବେଳେ, ପୁଣି ପ୍ରାୟ ୧୦୦ ଫୁଟ ନଦୀବନ୍ଧ ଧସି ନଦୀରେ ଲୀନ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷ ବଢ଼ିଛି। ଆଗାମୀ ଦିନରେ ବୈତରଣୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହେଲେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି।