ବନ୍ୟାକୁ ବର୍ଷେ ପୂରିଲା: ମରାମତି ହେଲାନି ଚେକ୍‌ଡ୍ୟାମ

ଦେଓଗାଁ, ୧୪ା୮(ଡି.ଏନ.ଏ.)- ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ଆଖପାଖ ଚାଷୀଙ୍କ ଏକମାତ୍ର ଭରସା ଶିରିଶ କେନାଲ। ଖରିଫ ଋତୁରେ ବର୍ଷା ନିଅଣ୍ଟ ହେଲେ ଏହି କେନାଲ ପାଖରେ ଥିବା ଚେକ୍‌ଡ୍ୟାମର ଗଚ୍ଛିତ ଜଳକୁ ଭରସା କରିଥାନ୍ତି କୁଡାସିଂହା, ଶିରିଶ, ଅର୍ଡା, ସିଙ୍ଗପାଲି ଆଦି ୪ ଗାଁର ଚାଷୀ। ହେଲେ ୨୦୧୯ ଅଗଷ୍ଟ ୧୩ ତାରିଖରେ ହୋଇଥିବା ବନ୍ୟାରେ ଏହି ଚେକ୍‌ଡ୍ୟାମ ଭାଙ୍ଗିଯାଇଥିଲା। ଇତିମଧ୍ୟରେ ଏକବର୍ଷ ପୂରିଲା। ହେଲେ ବିଭାଗ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହିଁ। ଫଳରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସମସ୍ୟାକୁ ନେଇ କିଛିଦିନ ତଳେ ସ୍ଥାନୀୟ ମାହେଶ୍ୱରୀ ସଂଗଠନର କୁଡାସିଂହା ଶାଖା ସଭାପତି ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ କେତେଜଣ ଚାଷୀ ଓ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ଜିଲା ସଭାପତି ଶୋଭନ ଅଗ୍ରୱାଲ, ଉପଦେଷ୍ଟା ବ୍ୟାସଦେବ ନନ୍ଦ, ନୂତନ ଦାସ ଓ ମନୋରଞ୍ଜନ ଝାଙ୍କର ପ୍ରମୁଖ ବିଧାୟକ ନରସିଂହ ମିଶ୍ରଙ୍କୁ ସାକ୍ଷାତ୍‌ କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।