ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ ଯାତ୍ରୀ ପରିବହନ ସମସ୍ୟା ଦେଖିବାକୁ ମିଳୁଛି। ସୋମବାର ଅପରାହ୍ନରେ ଉତ୍ତର ପଶ୍ଚିମଦିଗରୁ ପ୍ରବଳ ବର୍ଷା ପବନ ଯୋଗୁ ଯାତ୍ରୀମାନେ ବର୍ଷାରେ ଜୁଡୁ ବୁଡୁ ଅବସ୍ଥାରେ ପାର ହେଉଥିବା ଦେଖିବାକୁ ମିଳିଥିଲା। କେତେକ ଯାତ୍ରୀଙ୍କ କହିବା କଥା ପାରାଦ୍ୱୀପ ଶିଳ୍ପ କାରଖାନାରୁ କାମସାରି ଆସିବା ପରେ ଘାଟକୂଳରେ ପ୍ରବଳ ବର୍ଷା ପବନ ମାଡ଼ି ଆସିଥିଲା। ଫଳରେ ମହାନଦୀ ଉପର ମୁଣ୍ଡରୁ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅନ୍ତସ୍ରୋତ ହେଉଛି। କୌଣସି କାରଣରୁ ଡ଼ଙ୍ଗା ଚଳାଚଳ ସମସ୍ୟା ଉପୁଜି ପାରେ ବୋଲି ପାର ହେଉଥିବା ଯାତ୍ରୀମାନଙ୍କ ମଧ୍ୟରେ ଅବନୀ ମଣ୍ଡଳ , ବିକାଶ ଦାସ, ମନୋରଞ୍ଜନ ମଣ୍ଡଳ, ଶାନ୍ତନୁ ବେହେରା, ହରିପଦ ଗାୟନ ଓ ଠାକୁର ମଣ୍ଡଳ ପ୍ରମୁଖ କହିଛନ୍ତି।
ଏହି ଫେରିଘାଟ ଦେଇ ମହାକାଳପଡ଼ା ବ୍ଲକ ରାମନଗର, ବଉଳକଣି, ପେଟଛେଲା, ଜମ୍ବୁ ଓ ଖରିନାଶି ସମେତ ଶହ ଶହ ସଂଖ୍ୟାରେ ଶ୍ରମିକମାନେ ପାରାଦ୍ୱୀପ ଶିଳ୍ପ କାରଖାନାକୁ କାର୍ଯ୍ୟ କରିବାକୁ ଯିବାଆସିବା କରିଥାନ୍ତି। ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ଫେରିଘାଟ ଦେଇ ଶହ ଶହ ଶ୍ରମିକ ଯାତାୟାତ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।

 

Dharitri – Odisha’s No.1 Odia Daily

 

Share