କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି ଯାଇଥିବାରୁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ବ୍ଲକର ପୌରକେଲା ପଞ୍ଚାୟତର କୁନ୍ଦେଇପାଲି, ତେରେକେଲା ତେରେସିଙ୍ଗା ପଞ୍ଚାୟତର ବିନ୍ଧାଣୀ, ତେରେସିଙ୍ଗା ଗ୍ରାମ ନିକଟକୁ ବନ୍ୟା ଜଳ ଆସିଥିବା ବେଳେ ଶହେରୁ ଅଧିକ ଏକର ଧାନ ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି l ସେହିପରି ସ.ମାଲପଡ଼ା ପଞ୍ଚାୟତର ସର୍ଗୁଲ, ମାଲପଡା, ପୁଟିଗାଁ ପ୍ରଭୁତି ଗାଁର ଚାଷ ଜମିରେ ପାଣି ରହିଥିବା ଶନିବାର ଦେଖିବାକୁ ମିଳିଛି।
ପ୍ରଭାବିତ ଅଞ୍ଚଳକୁ ତହସିଲଦାର ଅରୁଣ ବର୍ଗେ ଓ ପୌରକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବରାଜ ରଣା ପରିଦର୍ଶନ କରିଥିଲେ। ତହସିଲଦାରଙ୍କୁ ପଚାରିବାରୁ ନଦୀ କୂଳରେ ଥିବା ଗାଁ ଗୁଡିକୁ ପରିଦର୍ଶନ କରିଥିଲୁ ଓ କିଛି ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଯାଇଛି ବୋଲି କହିଛନ୍ତି। ଅନ୍ୟପଟେ ବନ୍ୟା ଯୋଗୁ କର୍ଲାମୁଣ୍ଡା ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily

