ବର୍ଷକ ଆହାର ଛଡ଼ାଇ ନେଉଛନ୍ତି ବାର୍‌ହା ପଲ

କେନ୍ଦ୍ରାପଡ଼ା ଅଫିସ, ୧୦ା୧୨: ଚଳିତ ମାସ ଶେଷ ସପ୍ତାହରେ ଖରିଫ ଧାନ ବିକ୍ରି ପାଇଁ ସରକାରୀ ମଣ୍ଡି ଖୋଲିବ ା ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି ା ତେବେ ଜାତୀୟ ଉଦ୍ୟାନ ନିକଟସ୍ଥ ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ବାର୍‌ହା ଉପଦ୍ରବ କାରଣରୁ ଆଶାନୁରୂପକ ଫସଲ ଉପତ୍ାଦନ କରି ପାରିନାହାନ୍ତି ା ଲଗାଣ ବର୍ଷା ଓ ବନ୍ୟା ଦାଉରେ ଖରିଫ ଚାଷ ଆରମ୍ଭରୁ କ୍ଷତି କରିଥିବା ବେଳେ ଜଙ୍ଗଲୀ ବାର୍‌ହା ବର୍ଷକର ଆହାର ଛଡାଇ ନେଇଛନ୍ତି ା କ୍ଷେତରେ କେବଳ ନଡା ଗଛ ଛିଡା ହୋଇଛି ା ବନ ବିଭାଗ ପକ୍ଷରୁ ଚାଷ ଓ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର ନ ଥିବା, ଜଙ୍ଗଲ ଶେଷ ମୁଣ୍ଡରେ ତାରବାଡ ଦେବା, ଚାଷୀଙ୍କୁ କ୍ଷତିପୂରଣ ଦେବା ଆଦି ଦାବି କରି ଶୁକ୍ରବାର ଏଡିଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା
ଏ ସମ୍ପର୍କରେ ମହାକାଳପଡ଼ା ବ୍ଲକ ଜଗତିଜୋର ଗ୍ରାମର ପ୍ରଫୁଲ ସ୍ବାଇଁ କହିଛନ୍ତି, ବାର୍‌ହାଙ୍କ ଉପଦ୍ରବ ଏବେ ବଢ଼ିଚାଲିଛି ା ଗତ ମାସକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବାର୍‌ହା ଆକ୍ରମଣ ଘଟଣା ନଜରକୁ ଆସିଛି ା ଏହି ଜଙ୍ଗଲୀ ପଶୁ ଆକ୍ରମଣ ଘଟଣା ପ୍ରତିବର୍ଷ ବଢ଼ି ଚାଲିଥିବାରୁ ନିକଟସ୍ଥ ଗ୍ରାମବାସୀ ଧାନ ଅମଳକୁ ନେଇ ଚିନ୍ତାରେ ଅଛନ୍ତି ା ବତୀଘର ଗ୍ରାମର ରମଣୀରଞ୍ଜନ ଦାସ କୁହନ୍ତି, ଭିତରକନିକା ଅଞ୍ଚଳରେ ବାର୍‌ହାଙ୍କ ସଂଖ୍ୟା ବଢ଼ିଛି ା ଏହି ସମୟରେ ପାଚିଲା ଧାନ ଖାଇବା ପାଇଁ ଜଙ୍ଗଲରୁ ବାହାରି କ୍ଷେତକୁ ପଶି ଆସୁଛନ୍ତି ା ବନବିଭାଗ ପକ୍ଷରୁ ସେହି ଜନ୍ତୁଙ୍କୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନି ା ଜଙ୍ଗଲ ନିକଟ ଗ୍ରାମ ସୀମାରେ ତାରବାଡ଼ ଘେରାଇବା, ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରିବା ଓ ବନ୍ୟଜନ୍ତୁଙ୍କ ଆକ୍ରମଣ ଜନିତ ମୃତାହତ ବ୍ୟକ୍ତିଙ୍କୁ ସହାୟତା ଯୋଗାଇବା ପାଇଁ ସରକାରୀ ନିୟମ ରହିଥିଲେ ମଧ୍ୟ ଏହାର ସୁଫଳ ସ୍ଥାନୀୟ ଅଧିବାସୀଙ୍କୁ ମିଳୁନାହିଁ ା ଫଳରେ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ବ୍ରାହ୍ମଣସାହି, ଡେରା, ଡାଙ୍ଗମାଳ, ହାତିନା, ଗୁପ୍ତି, ସାତଭାୟା, ଈଶ୍ୱରପୁର, କେରୁଆଁପାଳ, ତନ୍ତିଆପାଳ, ବତୀଘର ଆଦି ଅଞ୍ଚଳର ଚାଷୀ ବହୁ କ୍ଷତି ସହୁଛନ୍ତି ା ଏସମ୍ପର୍କରେ ଜମ୍ବୁ ରେଞ୍ଜର ଚିତ୍ତରଞ୍ଜନ ବେଉରା କୁହନ୍ତି, ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଜଙ୍ଗଲୀ ବାର୍‌ହାଙ୍କ ପ୍ରଜନନ ସମୟ ା ଏହି ସମୟରେ ସେମାନେ ପ୍ରଚୁର ଖାଦ୍ୟ ଖାଇଥାଆନ୍ତି ା ଏଥିସହ ଏହି ସମୟରେ ସେମାନଙ୍କର ଆକ୍ରମଣ ପ୍ରବୃତ୍ତି ବୃଦ୍ଧି ପାଇଥାଏ ା ଜଙ୍ଗଲ ଆଖାପାଖ ଅଞ୍ଚଳରେ ପାଚିଲା ଧାନ ସହଜଲବ୍ଧ ଖାଦ୍ୟ ହୋଇଥିବାରୁ କ୍ଷେତକୁ ଚାଲିଆସିଥାନ୍ତି ା ବନବିଭାଗ ପକ୍ଷରୁ ଏସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି ା ଏଥିରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସହଯୋଗ ମିଳୁଛି ା ଜଙ୍ଗଲର ଆଖପାଖ ଗ୍ରାମଗୁଡ଼ିକରେ ବନ ବିଭାଗ ପକ୍ଷରୁ ରାତ୍ର ଜଗୁଆଳ ବ୍ୟବସ୍ଥା ହୋଇଛି ା ଗ୍ରାମ ନିକଟ ଜଙ୍ଗଲ ସୀମାରେ ତାରବାଡ଼ ହୋଇଛି ା ସମସ୍ତ ବନାଞ୍ଚଳକୁ ତାରବାଡ଼ ଘେରାଇବା ସମ୍ଭବ ନୁହେଁ ା ତେବେ କେତେକ ବାର୍‌ହା ଆକ୍ରମଣ ଘଟଣାର ଅନୁଧ୍ୟାନ ସମୟରେ ବନ୍ୟଜନ୍ତୁ ଶୀକାର ଘଟଣା ଜଣାପଡିଛି ା ଏପରିକି ବିଭାଗ ଏପରି ଶିକାରୀଙ୍କୁ ଗିରଫ କରୁଛି ା ରାତିରେ ଚାଷ କ୍ଷେତକୁ ସୁରକ୍ଷା ଦେବାକୁ ଯାଉଥିବା ଚାଷୀ ସାବଧାନତା ଅବଲମ୍ବନ କରନ୍ତୁ ବୋଲି ରେଞ୍ଜର ବେଉରା ପରାମର୍ଶ ଦେଇଛନ୍ତି ା