ପିକ୍‌ନିକ୍‌ କରିବାକୁ ଯାଇ କୋଏଲ ନଦୀରେ ଭାସିଗଲେ ୩; ଜଣେ ମୃତ, ୨ ନିଖୋଜ

ରାଉରକେଲା ଅଫିସ,୨୦ା୧୨: ନଦୀରେ ବୁଡ଼ି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। ରାଉରକେଲା କୋଏଲ ନଦୀରେ ରବିବାର ଅପରାହ୍ନରେ ୩ ଜଣ ଯୁବକ ଗାଧୋଉଥିବା ବେଳେ ଜଳ ସ୍ରୋତରେ ଭାସି ଯାଇଥିଲେ। ପିକ୍‌ନିକ୍‌ କରିବାକୁ କିଛି ଯୁବକ ଯାଇଥିବା ବେଳେ କେତେଜଣ ଝରିପାଣି ନିକଟ କୋଏଲ ନଦୀରେ ଗାଧୋଉଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ ଭାସି ଯାଇଥିଲେ । ତେବେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଏବେବି ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାଯୋଗ୍ୟ, ଆଜି କିଛି ଯୁବକ ମିଶି ପିକ୍‌ନିକ୍‌ କରିବାକୁ ଜାମସେରା ଘାଟକୁ ଯାଇଥିଲେ। ପିକ୍‌ନିକ୍‌ କରୁଥିବା ସମୟରେ ଘାଟରେ ଥିବା ପାଣିରେ ଗାଧୋଇବାର ମଜା ନେବା ପାଇଁ ସେମାନେ ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ତିନିଜଣ ଯୁବକ ପାଣିର ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟଲୋକ ଦେଖୁଦେଖୁ ତିନି ଯୁବକ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।