Categories: ବାଣିଜ୍ୟ

ଶେଷରେ କ୍ଷମା ମାଗିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ,୯।୩: ଆକର୍ଷଣୀୟ ଅଫର୍‌ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ଆଜିକାଲିର ଅନ୍‌ଲାଇନ୍‌ ସପିଂ କମ୍ପାନୀଗୁଡ଼ିକର ଫର୍ମୁଲା। ହେଲେ ବେଳେବେଳେ ଏହି ଅଫର୍‌ କମ୍ପାନୀଗୁଡ଼ିକୁ ମହଙ୍ଗା ପଡ଼ୁଛି। ଏଭଳି କିଛି ଘଟିଛି ଅନ୍‌ଲାଇନ୍‌ ସପିଂ କମ୍ପାନୀ ଫ୍ଲିପ୍‌କାର୍ଟ ସହ। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଫର ଦେଇ କମ୍ପାନୀ ଫସିଛି। ବାର୍ତ୍ତା ଆଳରେ ମହିଳାଙ୍କ ଭାବନାକୁ ଆଘାତ ଦେଇଥିବାକୁ ନେଇ ଏବେ ଫ୍ଲିପ୍‌କାର୍ଟକୁ କ୍ଷମା ମାଗିବାକୁ ମଧ୍ୟ ପଡ଼ିଛି।

ସମ୍ପୂର୍ଣ୍ଣ ଘଟଣାଟି ହେଲା ମହିଳା ଦିବସ ଅବସରରେ ଫ୍ଲିପ୍‌କାର୍ଟ ତାର ଗ୍ରାହକମାନଙ୍କୁ ଏକ ବାର୍ତ୍ତା ପଠାଇଥିଲା। ଏହି ଦିନ ରୋଷେଇ ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ଅଫର ଦେଇଥିଲା। ଫ୍ଲିପ୍‌କାର୍ଟ ପଠାଇଥିବା ମେସେଜ୍‌ରେ ‘ପ୍ରିୟ ଗ୍ରାହକ, ଏହି ମହିଳା ଦିବସକୁ ଆସନ୍ତୁ ପାଳନ କରିବା। କିଚେନ ଆପ୍ଲାଏନ୍ସ ତଥା ରେଷେଇ ସାମଗ୍ରୀ ମାତ୍ର ୨୯୯ ଟଙ୍କାରେ ପାଆନ୍ତୁ। ’ବୋଲି ଲେଖାଥିଲା। ହେଲେ ଏହା ଲିଙ୍ଗଭେଦ ପ୍ରଚାର ବୋଲି ସୋସିଆଲ ମିଡିଆରେ ଲୋକେ ଫ୍ଲିପ୍‌କାର୍ଟକୁ ସମାଲୋଚନା କରାଯାଇଥିଲା। ଚାରିଆଡୁ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ କମ୍ପାନୀ ଏବେ ଟୁଇଟ୍‌ କରି କ୍ଷମା ପ୍ରାର୍ଥନା କରିଛି।

ଫ୍ଲିପ୍‌କାର୍ଟ କହିଛି, ‘ଆମେ ଭୁଲ କରିଛୁ। ଏଥିଲାଗି ଆମେ ଦୁଃଖିତ। କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନ ଥିଲା। ପୂର୍ବରୁ ଦିଆଯାଇଥିବା ମହିଳା ଦିବସ ବାର୍ତ୍ତା ଲାଗି ଆମେ କ୍ଷମା ମାଗୁଛୁ।’

Share