ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳିଙ୍କ ଫ୍ଲପ ଶୋ’

ମୁମ୍ବାଇ,୨୫।୪: ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଆଇପିଏଲ ୨୦୨୨ରେ କ୍ରମାଗତ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି। ମେଗା ନିଲାମରେ ଇଶାନ କିଶନ ସବୁଠାରୁ ମହଙ୍ଗା ଖେଳାଳି ଥିଲେ, କିନ୍ତୁ ଏହି ସିଜନରେ ସେ ଏପର୍ଯ୍ୟନ୍ତ ତାଙ୍କ ଦଳ ପାଇଁ କିଛି ବିଶେଷ କରିପାରି ନାହାଁନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଇଶାନଙ୍କ ବ୍ୟାଟ ଚାଲି ନ ଥିଲା। ଇଶାନ ଲକ୍ଷ୍ନୌ ବିପକ୍ଷରେ ୨୦ଟି ବଲରେ କେବଳ ୮ ରନ ସ୍କୋର କରିଥିଲେ।
ଇଶାନ କିଶାନ ଆଇପିଏଲ୍‌ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି କିଣିଥିଲା। ଏହି ସିଜିନର ପ୍ରଥମ ୨ଟି ମ୍ୟାଚ ଛାଡି ଇଶାନ କିଶାନ ପ୍ରତ୍ୟେକ ମ୍ୟାଚରେ ଫ୍ଲପ ହୋଇଛନ୍ତ। ଏପର୍ଯ୍ୟନ୍ତ ଏହି ସିଜିନରେ ୮ଟି ମ୍ୟାଚରେ ସେ ହାରାହାରି ୨୮.୪୩ରେ ମାତ୍ର ୧୯୯ ରନ ସଂଗ୍ରହ କରିଛନ୍ତି। ଚଳିତ ସିଜନରେ ଇଶାନ କିଶନ ମାତ୍ର ୨ ଅର୍ଦ୍ଧଶତକ ହାସଲ କରି ୧୦୮.୧୫ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଛନ୍ତି।
ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ହାରିଯିବା ଧାରା ଜାରି ରହିଛି। ଚଳିତ ସିଜନରେ ମୁମ୍ବାଇ କ୍ରମାଗତ ୮ଟି ମ୍ୟାଚ ହାରିଛି। ଲକ୍ଷ୍ନୌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇକୁ ୩୬ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲେ। ୧୬୯ ରନର ଲକ୍ଷ୍ୟକୁ ପଛରେ ପକାଇ ମୁମ୍ବାଇର ଦଳ କେବଳ ୨୦ ଓଭରରେ ୧୩୨ ରନ ସ୍କୋର କରିପାରିଥିଲା। କେଏଲ ରାହୁଲ ୬୨ ଟି ବଲରୁ ୧୦୩ ରନ କରିଥିଲେ।

 

Share