ଶିମିଳିପାଳରେ ଫ୍ଲାଗ୍‌ମାର୍ଚ୍ଚ

ବାରିପଦା ଅଫିସ,୧୨।୩ ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନାଗ୍ନିରୁ ସୁରକ୍ଷା ଯୋଗାଇବା ପାଇଁ ବନ ବିଭାଗ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ ଏବଂ କମ୍ବିଂ ଅପରେଶନ ଆରମ୍ଭ ହୋଇଛି। ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଅଭୟାରଣ୍ୟରେ ନିଅଁା ଲଗାଉଥିବା ବେଳେ ବନ୍ୟଜନ୍ତୁ ବିପଥଗାମୀ ହୋଇ ସହର ଓ ଗ୍ରାମାଭିମୁଖି ହୋଇଥାନ୍ତି। ଏହାକୁ ପ୍ରତିହତ କରିବା ପାଇଁ ଉତ୍ତର ଓ ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧ ହଜାରରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ଏଥିରେ ସାମିଲ ରହିଛନ୍ତି। ଅଭୟାରଣ୍ୟରେ ନିଅଁା ଲାଗିଥିବା ଜାଣିବା ପାଇଁ ଚଳିତବର୍ଷଠାରୁ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ଏହାସହ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ସୂଚନାକୁ ଭିତ୍ତିକରି ନିଅଁାର ସ୍ଥିତି ଜାଣିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ନିଅଁାକୁ ଆୟତ୍ତ କରିବା ପାଇଁ ୫ ଶହ ନିଅଁା ଲିଭା ମେଶିନ ଯୋଗାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳବାସୀ, ଜଙ୍ଗଲ ସୁରକ୍ଷା କମିଟି ଓ ବନ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ମଧ୍ୟ ନିଅଁା ଲିଭାରେ ସହଯୋଗ କରୁଛନ୍ତି।