Categories: ଜାତୀୟ

ଶିକ୍ଷା ବିଭାଗ ସମ୍ମୁଖରେ ଜହର ପିଇଲେ ୫ ଶିକ୍ଷୟିତ୍ରୀ, ୩ ବେହୋସ …

କୋଲକାତା,୨୫।୮: ପଶ୍ଚିମବଙ୍ଗରେ ଶିକ୍ଷା ବିଭାଗ ସମ୍ମୁଖରେ ଏକ ଶିଶୁ ଶିକ୍ଷା କେନ୍ଦ୍ରର ୫ ଜଣ କଣ୍ଟ୍ରାକ୍ଟଚୁଆଲ ଶିକ୍ଷୟିତ୍ରୀ ଜହର ପିଇଛନ୍ତି। ଜହର ପିଇବା ପରେ ଘଟଣାସ୍ଥଳରେ ୩ ଜଣ ବେହୋସ ହୋଇଯାଇଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଭାଜପା ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଭାଜପା କହିଛି ତୃଣମୂଳ କଂଗ୍ରେସ ସରକାରଙ୍କର ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରତି ସମ୍ମାନ ନାହିଁ। ଶିଶୁ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀମାନେ ନିଯୁକ୍ତି ନେଇ ସେମାନଙ୍କ ଦାବି ପୂରଣ ପାଇଁ ପ୍ରଦର୍ଶନ କରୁଥିବା ସମୟରେ ହଠାତ୍‌ ଜହର ପିଇଥିଲେ। ଶିକ୍ଷକ ଏକତା ମଞ୍ଚର ଶିକ୍ଷୟିତ୍ରୀ ଶିକ୍ଷକମାନେ ବଦଳିରେ ଅନିୟମିତତା ନେଇ ବିକାଶ ଭବନ ସମ୍ମୁଖରେ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ପହଞ୍ଚି ସେମାନଙ୍କ ସେଠାରୁ ହଟାଇବାକୁ ପ୍ରୟାସ କରିବାକୁ ଶିକ୍ଷୟିତ୍ରୀମାନେ ଏଭଳି କରିଥିବା କୁହାଯାଉଛି। ଶିକ୍ଷା ବିକାଶ ପକ୍ଷରୁ ସେମାନଙ୍କର ବଦଳି ନିଜ ନିଜ ବାସସ୍ଥାନଠାରୁ ୬୦୦ରୁ ୭୦୦ କିଲୋମିଟରକୁ ଦୂରକୁ କରାଯାଇଛି। ଏହାକୁ ବିରୋଧ କରି ଶିକ୍ଷକ ଏକତା ମଞ୍ଚ ପକ୍ଷରୁ ପ୍ରଦର୍ଶନ କରାଯାଉଛି। ସେମାନଙ୍କୁ ମାସିକ ୧୦ ହଜାରରୁ ୧୫ ହଜାର ଦରମା ମିଳୁଥିବା ଶିକ୍ଷକ ମଞ୍ଚ ପକ୍ଷରୁ କୁହାଯାଇଛି।

Share