ଧରାପଡ଼ିଲେ ୫ ଡକାୟତ: ସୁନାଗହଣା ସହ ବାଇକ, ମୋବାଇଲ ଜବତ

ଫୁଲବାଣୀ ଅଫିସ,୧୫ା କନ୍ଧମାଳ ଜିଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଗ୍ରାମ ସୁନା ଗହଣା, ଦୁଇଟି ବାଇକ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝି, ରହିମ ମାଝି, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ।

ପୋଲିସ ସୂଚନାନୁସାରେ, ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ରାତିରେ ୭ରୁ ଉର୍ଦ୍ଧ ଡକାୟତ ଘରେ ପଶିଥିଲେ। ସେଠାରେ ଖେଳନା ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପ୍ରଶାନ୍ତଙ୍କୁ ମାଡ଼ ମାରି ବହୁ ସୁନା ଗହଣା, ମୋବାଇଲ, ୬୦ ହଜାର ଟଙ୍କା ଲୁଟି ନେଇଥିଲେ। ୨୪ ତାରିଖରେ ପ୍ରଶାନ୍ତ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୋଲିସ। ଜଣ ଜଣ କରି ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ ୨୦ ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ, ଦୁଇଟି ବାଇକ୍‌ ଜବତ କରାଯାଇଛି ବୋଲି ଥାନାଧିକାରୀ ଅଜୟ କୁମାର ସ୍ବାଇଁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ଥାନାରେ ୨୬/୨୨ରେ ଏକ ମାମଲା ରୁଜୁ ହୋଇଛି।