୩ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାଁରେ ହାଜତ ମୃତ୍ୟୁ ମାମଲା

ଗୋପାଳପୁର,୩୦ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଗତ ମେ ୩ରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆଙ୍କ ମୃତ୍ୟୁ ଘଟିଥିଲା। ଏହି ହାଜତ ମୃତ୍ୟୁ ଘଟଣାରେ ବ୍ରହ୍ମପୁର ପୋଲିସ ୩ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ସେମାନେ ହେଲେ ତତ୍‌କାଳୀନ ଥାନା ଅଧିକାରୀ ବାବୁଲି ନାୟକ, ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, କନଷ୍ଟେବଳ ଦିପ୍ତି ପ୍ରକାଶ ଜେନା ଓ ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାଶ ଓ ତାଙ୍କ ଭାଇ ଅମିତ କୁମାର ଦାଶ। ଏ ନେଇ ଗୋଳନ୍ଥରା ଥାନାରେ ନଂ. ୩୩୨/୨୧ରେ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନା ଯୋଗ୍ୟ, ହାଜତ ମୃତ୍ୟୁ ଘଟଣାର ଠିକ୍‌ ନ୍ୟାୟ ନ ମିଳିବାରୁ ମୃତ ଗଣେଶଙ୍କ ମା’ଶୋଭା ଡାକୁଆ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଜଷ୍ଟିସ୍‌ ବିଶ୍ୱଜିତ ମହାନ୍ତିଙ୍କ ଜଣିକିଆ ଖଣ୍ଡପୀଠରେ ଗତ ୧୮ରେ ମାମଲାର ଶୁଣାଣି ହୋଇ ଗୃହ ବିଭାଗ, ବ୍ରହ୍ମପୁର ପୋଲିସ ଏସ୍‌ପି ଓ ଗୋଳନ୍ଥରା ଥାନା ପୋଲିସକୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ନୋଟିସ ଜାରି କରିଥିଲେ।

ଘଟଣାନୁସାରେ, ଗତ ମେ ୩ରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଅଜିତ କୁମାର ଦାଶ ଓ ଭାଇ ଅମିତ କୁମାର ଦାଶଙ୍କ ସହ ଇଟାଭାଟିରେ କୌଣସି ବିଷୟକୁ ନେଇ ଗଣେଶ ଡାକୁଆଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗୋଳନ୍ଥରା ପୋଲିସ ଅଭିଯୋଗ ପାଇ ସେଠାରେ ପହଞ୍ଚି ଗଣେଶଙ୍କୁ କାବୁ କରି ଗୋଳନ୍ଥରା ଥାନା ପରିସରରେ ଥିବା ରିସେପଶନ୍‌ କୋଠରୀରେ ଅଟକ ରଖି ପଚରାଉଚରା କରୁଥିଲା। କିଛି ସମୟ ପରେ ଗଣେଶଙ୍କ ହାଜତରେ ମୃତ୍ୟୁ ହୋଇଥିଲା।