ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା

ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ ଆଉ କିଏ ତନ୍ତରେ ଲୁଗା ବୁଣି ରାଜ୍ୟ ସମୃଦ୍ଧିରେ ସାଜିଥିଲେ ଅଂଶୀଦାର। ହେଲେ ରାଜତନ୍ତ୍ରର ବିଲୋପ ପରେ ବଦଳିଯାଇଛି ସ୍ଥିତି। କୁଟୁମ୍ବ ପୋଷି ନ ପାରି କୌଳିକ ବୃତ୍ତିରୁ ବାହାରି ଯାଇଛନ୍ତି ୫ ପାଟଣା ବାସିନ୍ଦା।
ଅନୁଗୋଳର ଶେଷ ରାଜା ସୋମନାଥ ସିଂହ ଜଗଦେବଙ୍କ ସମୟରେ ବଅଁରପାଳର ବଳରାମପ୍ରସାଦ, ଗୋତମରା, ନୂଆହତା, ବୁଢ଼ାପଙ୍କ ଓ ଗଡ଼ସନ୍ତ୍ରୀ ଥିଲା ୫ଟି ଗଡ଼। ସେତେବେଳେ ଏହି ୫ ଗଡ଼ର ସ୍ବତନ୍ତ୍ର ପରିଚୟ ଥିଲା। ଏଠାକାର ସୁରକ୍ଷା ସମ୍ଭାଳୁଥିଲେ ପାଇକ ଯୋଦ୍ଧା। ବାହ୍ୟ ଶତ୍ରୁ ପ୍ରବେଶ ରୋକିବାକୁ ଯୋଦ୍ଧାଙ୍କ ସହ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରାଯାଇଥିଲା ଏଠାରେ। ସେହିପରି ୫ଗଡ଼ ବୁଢ଼ାପଙ୍କ ପାଟଣା, ନୂଆହତା ପାଟଣା, ଗୋତମରା ପାଟଣା, ବଳରାମପ୍ରସାଦ ପାଟଣା ଓ ଗଡ଼ସନ୍ତ୍ରୀ ପାଟଣା ଥିଲା ରାଜାଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏଠାକାର ବାସିନ୍ଦାମାନେ ଜାତି ଓ ବୃତ୍ତି ଅନୁଯାୟୀ ବ୍ୟବସାୟ କରୁଥିଲେ। ତେଲିମାନେ ଘଣାରେ ତେଲ ପେଡ଼ୁଥିବା ବେଳେ ତନ୍ତୀମାନେ ତନ୍ତରେ ଲୁଗା ବୁଣୁଥିଲେ। ଶୁଣ୍ଢିମାନେ ସୁରା ବେପାର, କୁମ୍ଭକାରମାନେ ମାଟିପାତ୍ର ଗଢ଼ୁଥିଲେ। ଅନ୍ୟ ଜାତିର ଲୋକେ ସେମାନଙ୍କ କୁଳ ପରମ୍ପରା ଅନୁଯାୟୀ ବ୍ୟବସାୟ କରୁଥିଲେ। ଏପରିକି ବଣିକମାନେ ବାଣିଜ୍ୟ କରିବାକୁ ଜଳପଥରେ ବିଦେଶକୁ ଯାଉଥିବା ପାଟଣାର ଅନେକ ବୟସ୍କ ବ୍ୟକ୍ତିଙ୍କ ମୁହଁରୁ ଶୁଣାଯାଏ। ହେଲେ ରାଜାରାଜୁଡ଼ା ଶାସନ ଉଚ୍ଛେଦ ପରେ ଏହି ୫ ପାଟଣାବାସିନ୍ଦାଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି। କୌଳିକ ବୃତ୍ତିକୁ ଆଦରି ନ ପାରି ବିଭିନ୍ନ ଜାତିର ଲୋକେ ଅନ୍ୟ ବ୍ୟବସାୟକୁ ଚାଲିଯାଇଛନ୍ତି। ବିଶେଷକରି ଶିଳ୍ପାଞ୍ଚଳ ଗଢ଼ି ଉଠିବା ପରେ ଜାତିଭିତ୍ତିକ ବା ପାରମ୍ପରିକ ବ୍ୟବସାୟରୁ ୫ ପାଟଣାବାସୀ ଓହରି ଯାଇଛନ୍ତି। ବହୁ ପରିବାରକୁ ଶିଳ୍ପସଂସ୍ଥାରେ ଚାକିରି ମିଳିଥିବା ବେଳେ ଅନେକ ଶ୍ରମିକ, ଠିକା ଶ୍ରମିକ ଭାବେ ରୋଜଗାର କରୁଛନ୍ତି। କେତେଜଣ ଠିକାଦାରି କରୁଛନ୍ତି ତ ଆଉ କେତେକ ଲୋକ ଟ୍ରକ୍‌, ଟିପ୍ପର, ଟ୍ରାକ୍ଟର ଆଦି କରି ମାଲ୍‌ ପରିବହନକୁ ଆୟର ମାଧ୍ୟମ କରିଛନ୍ତି। କୃଷିକ୍ଷେତ୍ରରୁ ବି ଅଧିକାଂଶ ଲୋକ ମୁହଁ ଫେରାଇ ନେଇଛନ୍ତି। ଗାଁର ସହରୀକରଣ ପ୍ରଭାବରେ ୫ ପାଟଣାରେ ଆଉ ଦେଖିବାକୁ ମିଳୁନି ତନ୍ତବୁଣା ଲୁଗା କି ଘଣାରେ ପେଡ଼ା ହୋଇଥିବା ତେଲ। କୁମ୍ଭକାରଙ୍କ କୌଳିକ ବୃତ୍ତି ବି ହଜିଯିବାକୁ ବସିଲାଣି ଅନୁଗୋଳ ରାଜାଙ୍କ ଏହି ବ୍ୟବସାୟିକ ପେଣ୍ଠସ୍ଥଳୀରୁ।

ଜାତିଭିତ୍ତିକ ବ୍ୟବସାୟ ପ୍ରତି ସମ୍ମାନ ଥିଲା
ଅନୁଗୋଳର ଶେଷ ରାଜାଙ୍କ ୫ଟି ଗଡ଼ରେ ଯେଉଁମାନେ ବସବାସ କରୁଥିଲେ, ସେମାନେ କୁଳ ପରମ୍ପରା ଅନୁଯାୟୀ ବ୍ୟବସାୟ କରୁଥିଲେ। କୌଳିକ ବୃତ୍ତି ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ସମ୍ମାନଜନକ ପେସା ହୋଇପାରିଥିଲା। ପାଇକମାନେ ଗଡ଼କୁ ସୁରକ୍ଷା ଦେଉଥିବାରୁ ଏହି ବ୍ୟବସାୟିକ ପେଣ୍ଠସ୍ଥଳୀ ବେଶ୍‌ ସମୃଦ୍ଧି ଆଣି ଦେଇଥିଲା।
-ଗୋକୁଳା ନନ୍ଦ ସିଂ, ବଳରାମ ପ୍ରସାଦ

ଏହା ଥିଲା କରମୁକ୍ତ ଅଞ୍ଚଳ
ପାଟଣା ଅଞ୍ଚଳବାସୀଙ୍କ ଉପରେ ରାଜା କର ଲାଗୁ କରି ନ ଥିଲେ। ତେଣୁ ବୃତ୍ତିଭିତ୍ତିକ ଆୟ ମନ୍ଦ ନ ଥିଲା କି ସେମାନଙ୍କୁ କୁଟୁମ୍ବ ପୋଷିବାରେ ଅସୁବିଧା ହେଉ ନ ଥିଲା। ଏହାଛଡ଼ା ବାହ୍ୟ ଶତ୍ରୁ କବଳରୁ ଏହି ବ୍ୟବସାୟୀମାନଙ୍କୁ ରାଜା ସୁରକ୍ଷା ଦେଉଥିବାରୁ ପାଟଣା ଏକ ଭଲ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇପାରିଥିଲା।
-ଶିବରାମ ସାହୁ, ବଳରାମପ୍ରସାଦ ପାଟଣା

ପୂର୍ବ ପରମ୍ପରା ଆଉ ନାହିଁ
୫ ପାଟଣାରେ ଆଉ ରାଜାରାଜୁଡ଼ା ଅମଳର ପରମ୍ପରା ନାହିଁ। ସମୟ ସ୍ରୋତରେ ଲୋକେ ଜାତି, କୁଳ ବ୍ୟବସାୟକୁ ଦୂରେଇ ଦେଇଛନ୍ତି। ଏହାଛଡ଼ା ପାରମ୍ପରିକ ବ୍ୟବସାୟରେ ଏବେ ସମ୍ମାନ ନାହିଁ କି ସମୃଦ୍ଧ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ଯିଏ ଯାହାର ସୁବିଧା ଅନୁଯାୟୀ ବେପାର ବଦଳାଇ ଦେଇଛନ୍ତି।
-ନିତ୍ୟାନନ୍ଦ ସାହୁ, ନୂଆହତା ପାଟଣା