ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ କମ୍‌। କେନ୍ଦ୍ର ଆଇନ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ପକ୍ଷରୁ ସୋମବାର ସକାଳେ ଜାରି ବିଜ୍ଞପ୍ତି ଅନୁଯାୟୀ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭେଙ୍କିତା ସୁବ୍ରମଣି ମୋହନ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶ୍ରୀ ଚନ୍ଦ୍ରଶେଖର, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶିଲ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ସଚଦେବା ଏବଂ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରୁନ୍‌ ପାଲ୍ଲିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ଶପଥ ଗ୍ରହଣ କରିବା ପରେ ସର୍ବୋଚ୍ଚ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ ହେବ।
ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମଞ୍ଜୁରୀପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୩୪ ହୋଇଥିବାବେଳେ ଏହାକୁ ୩୮କୁ ବଢ଼ାଇବା ପାଇଁ ଗତ ମାସରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ବଳରେ ଆଇନରେ ସଂଶୋଧନ କରିଥିଲେ। ଏବେ ୨ଟି ପଦବୀ ଖାଲି ଥିବାବେଳେ ଆଇନରେ ସଂଶୋଧନ ପରେ ଖାଲି ପଦବୀ ସଂଖ୍ୟା ୬ ହୋଇଥିଲା। ସୋମବାର ୫ ବିଚାରପତିଙ୍କୁ ନିଯୁକ୍ତି ମିଳିଥିବାରୁ ସୁପ୍ରିମକୋର୍ଟରେ ଆଉ ଗୋଟିଏ ପଦବୀ ଖାଲି ରହିଛି। ଗତ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‌ ୫ ବିଚାରପତିଙ୍କ ନାମ ସୁପାରିସ କରିଥିବାବେଳେ ୪ ଦିନ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

 

Dharitri – Odisha’s No.1 Odia Daily

 

Share