୫ ଲକ୍ଷ ଛାତ୍ରୀଛାତ୍ର ଦେବେ ଦଶମ ସମେଟିଭ୍‌-୧ ପରୀକ୍ଷା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଏହି ପରୀକ୍ଷା ଚାଲିବ। ପ୍ରଥମ ୩ ଦିନ ୨ଟି ସିଟିଂ ଥିଓରି ପରୀକ୍ଷା ହେବ। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ୩,୦୯୩ କେନ୍ଦ୍ର କରାଯାଇଥିବା ବେଳେ ୩୧୧ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚତ୍ସାରିଛି। ସେଥିମଧ୍ୟରୁ ୨୨ଟି ଥାନାରେ ପ୍ରଶ୍ନପତ୍ର ରଖାଯାଇଛି। ମୋଟ୍‌ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମାସ୍କ ପିନ୍ଧିବା ଓ କରୋନା ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ସକାଳ ସାଢ଼େ ୮ଟାରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚତ୍ବ। କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗରୁତ୍ୱ ଦିଆଯାଇଛି। ପ୍ରତିଟି ଶ୍ରେଣୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି। ପରୀକ୍ଷା କେନ୍ଦ୍ରର ଅଧୀକ୍ଷକମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି ଯିବା ନେଇ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ସିବିଏସ୍‌ଇ ଢାଞ୍ଚାରେ ପରୀକ୍ଷା କରିବାକୁ ଯାଉଛନ୍ତି। କରୋନାକୁ ଦୃଷ୍ଟିରେ ରଖି ଏଭଳି ପରୀକ୍ଷା କରାଯାଉଛି। ବର୍ଷକୁ ଦୁଇଟି ସମେଟିଭ୍‌ ପରୀକ୍ଷା ହେବ। ଯଦି ଆଗକୁ କୌଣସି କାରଣରୁ ବୋର୍ଡ ପରୀକ୍ଷା ନ ହୁଏ, ତେବେ ଏହି ସମେଟିଭ୍‌-୧ ପରୀକ୍ଷା ଫଳକୁ ମଧ୍ୟ ବିଚାରକୁ ନିଆଯିବ।