କାର୍‌ରେ କଳାକାଚ ପାଇଁ ଗଣିଲେ ୫ଶହ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ପାର୍ବଣରେ ଅପରାଧୀମାନେ ଗାଡ଼ିରେ କଳାକାଚ ଲଗାଇ ଅପରାଧ ଘଟାଇ ପାରନ୍ତି। କାରରେ ମଧ୍ୟ ଅନୈତିକ କାର୍ଯ୍ୟ ବଢିବା ଆଶଙ୍କା କରାଯାଉଛି। ତେଣୁ କଳାକାଚ ଲଗାଥିବା କାରକୁ ଧରିବା ପାଇଁ ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି। ବିଭିନ୍ନ ଛକରେ ଟ୍ରାଫିକ କର୍ମଚାରୀମାନେ ବିଶେଷକରି ଏଭଳି ଟିଣ୍ଟେଡ଼ ଗ୍ଲାସ ବ୍ୟବହାର ହୋଇଥିବା କାର୍‌ଗୁଡ଼ିକୁ ଅଟକାଉଛନ୍ତି। ନୂଆ ମୋଟରଯାନ ଆଇନ୍‌ର ଧାରା ୧୭୭ ଅନୁଯାୟୀ ୫ଶହ ଟଙ୍କା ଜରିମାନା ଆଦାୟ କରୁଛନ୍ତି। ଗତ ଦୁଇଦିନରେ ରାଜଧାନୀର ବିଭିନ୍ନ ସ୍ଥାନରୁ ୧୫ରୁ ଊର୍ଦ୍ଧ୍ୱ କାରଠାରୁ ଜରିମାନା ଆଦାୟ କରାଯାଇଥିବାବେଳେ ଅଧିକାଂଶ ଦାମୀ କାର୍‌ ପୋଲିସ ହାବୁଡ଼ରେ ପଡିଥିବା ଜଣାପଡିଛି। ପୋଲିସ କେତେକ କାର୍‌ରୁ କଳା ଜରି କାଢ଼ିଥିବାବେଳେ ଆଉ କେତେଜଣଙ୍କୁ ତୁରନ୍ତ କାଢ଼ିବାକୁ ତାଗିଦ୍‌ କରିଥିଲା।