କୁକୁରକୁ ବଳିଦେଇ ରକ୍ତ ପିଇଲେ ୫ଶିଶୁ

ବଲାଙ୍ଗୀର ଅଫିସ,୧।୩: ପରମ୍ପରା ନାଁରେ ପଶୁବଳି ଦିଆଯିବା ଘଟଣା ଶିଶୁ ମାନସିକତା ଉପରେ କିଭଳି କୁପ୍ରଭାବ ପକାଇଥାଏ ତାହା ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ପଣ୍ଡାରାପିଟା ଗାଁରେ ଘଟିଥିବା ଏକ ଘଟଣାରୁ ଜଣାପଡିଛି। ଖେଳରେ ପଶୁବଳି ଦେଇ ୫ଶିଶୁ ଏକ କୁକୁର ଛୁଆର ରକ୍ତ ପିଇଥିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଘଟିଛି ଫେବୃୟାରୀ ୧୯ତାରିଖରେ। ପଣ୍ଡରାପିଟା ଗାଁରେ ୫ ଜଣ ଶିଶୁ (ସମସ୍ତଙ୍କ ବୟସ ୫/୬ ବର୍ଷ ହେବ) ଗାଁମୁଣ୍ଡରେ ଖେଳୁଥିଲେ। ଏହି ୫ ଶିଶୁ ସେଠାରେ ଦେବୀ ପୂଜା ଖେଳ ଖେଳିଥିଲେ। ହଠାତ୍‌ ପାଖରେ ବୁଲୁଥିବା ଏକ କୁକୁର ଛୁଆକୁ ଟେକି ଆଣି ପୂଜାର୍ଚ୍ଚନା କରିଥିଲେ। ସଂଗ୍ରହ କରିଥିବା ଧୂପ କାଠି ଜଳେଇବା ସହ କୁକୁର ମୁଣ୍ଡରେ ସିନ୍ଦୂର ବୋଳିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ଲାଷ୍ଟିକ ଡବାକୁ ବାଜା ଭାବରେ ବଜେଇଥିଲେ। ଜଣେ ଶିଶୁ ପୂଜକ ସାଜିଥିବା ବେଳେ ଅନ୍ୟ ଶିଶୁ ବରୁଆ ଭୂମିକା ନିର୍ବାହ କରିଥିଲେ। ଏହାପରେ ଏକ ଧାରୁଆ ଅସ୍ତ୍ରରେ କୁକୁର ଛୁଆର ତଣ୍ଟି କାଟି ବଳି ଦେଇଥିଲେ। ପରେ ୫ଜଣ ଯାକ ଶିଶୁ କୁକୁର ଛୁଆର ରକ୍ତ ପିଇଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଖେଳି ସାରି ଆସିବା ପରେ ଶିଶୁମାନେ ଅସୁସ୍ଥ ହୋଇପଡିଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ପଚାରିବା ପରେ ୫ ଜଣ ଶିଶୁ ସମସ୍ତ ବିବରଣୀ କହିଥିଲେ। ଏହାପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଚିକିତ୍ସା କରିଥିବା ଜଣାପଡିଛି। ଖେଳରେ ବଳିଖେଳ ଖେଳି କୁକୁର ଛୁଆ ମାରି ୫ ଶିଶୁ ରକ୍ତ ପିଇବା ଜଣାପଡିବା ପରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି। ପ୍ରତ୍ୟେକ ବର୍ଷ ଦଶହରାରେ ଏହି ଗାଁରେ ପାଟଖଣ୍ଡା ଯାତ୍ରା ଆୟୋଜନ କରାଯାଇଥାଏ। ସେଥିରୁ ଶିଶୁମାନଙ୍କ ଉପରେ ଏଭଳି ପ୍ରଭାବ ପଡିଥିବା ସନ୍ଦେହ କରାଯାଉଛି।