କେସିଙ୍ଗା,୨୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବେଦାନ୍ତ ପମ୍ପ୍ ହାଉସ୍ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା। ଏ ନେଇ ବେଦାନ୍ତର ସାଇଟ୍ ଇନ୍ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଅପରାହ୍ନରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆମଠ ଚକ ନିକଟରେ ଛକି ବସିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାକୁ ନେଇଥିଲା।
କଳାହାଣ୍ଡି ଏସ୍ପି ନାଗରାଜ ଦେବରକୁଣ୍ଡା ଏକ ଖବରଦାତା ସମ୍ମିଳନୀ କରି ଏହି ସବୁ ତଥ୍ୟ ପ୍ରଦାନ କରିଥିଲେ। ଏମାନେ ହେଲେ ଛତିଶଗଡ଼ର ମହାସମୁନ୍ଦ ଜିଲା ବାସ୍ନା ଗ୍ରାମର ଓ୍ବାର୍ଡ ନ ୨ଜିଡ୍ଡୀ(୨୭), ମହାସମୁନ୍ଦର ଓ୍ବାର୍ଡ ନ.୪ର ପକ୍ଲୁ ଦେବାର(Dewar) (୨୩), ବାଗ ବାହାର ଥାନା ଅଧିନସ୍ଥ ରାବଣ ଭଟା ଗ୍ରାମର ଜୋହାନ(୪୦), କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନର ଦେବ ମାଝୀ(ଋଷି)(୨୫)ଙ୍କ ସହିତ ବଲାଙ୍ଗିରର ସୁଦପଡ଼ାର ତମ୍ବାତାର କିଣୁଥିବା ଯୁବକ ମହମ୍ମଦ ଜିଲାନୀ(୩୪)ଙ୍କୁ କେସିଙ୍ଗା ପୋଲିସ ଅମାଠଛକରେ କାବୁ କରି ଗିରଫ କରିଥିଲା। ଏହି ଚୋରମାନେ କେସିଙ୍ଗାରୁ ବଲାଙ୍ଗୀରକୁ ବିକ୍ରି କରିବା ପାଇଁ ଏକ ଟାଟାଏସିରେ ୪କ୍ୱିଣ୍ଟାଲ ୮୦କେଜି ମୂଲ୍ୟବାନ ତମ୍ବାତାର ଭର୍ତ୍ତି କରି ଚୋରାରେ ନେଉଥିବାବେଳେ କେସିଙ୍ଗା ପୋଲିସ ଅମାଠ ଛକ ନିକଟରେ କାବୁ କରିଥିଲା। ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାର ବୋଲି ପୋଲିସ ସୂଚନା ଦେଇଛି। ଏଥିସହ ନଗଦ ୨ ଲକ୍ଷ ୫୦ହଜାର ଟଙ୍କା ସିଜ୍ କରିଥିବା କଳାହାଣ୍ଡି ଏସ୍ପି ସୂଚନା ଦେଇଛନ୍ତି।
ଏହି ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍ପି ନାଗରାଜ ଦେବରକୁଣ୍ଡା, ଏସ୍ଡିପିଓ, ସନ୍ଧିପ ମାଝୀ, ଆଇଆଇସି ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। କେସିଙ୍ଗା ଥାନା କେସ୍ ନଂ ୧୪୨/୨୬ରେ କେସ୍ ରୁଜୁ ହୋଇଥିଲା।