ହଠାତ୍‌ କୋହଲିଙ୍କ ହାତରୁ ଖସିପଡ଼ିଲା ଫିଟନେସ ବ୍ୟାଣ୍ଡ, ଅଟକିଗଲା ମ୍ୟାଚ୍‌: ଏହାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଅକଲାଣ୍ଡ, ୫।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ନିଜ ବ୍ୟାଟିଂର ଯାଦୁ ଦେଖାଇଛନ୍ତି ଭାରତୀୟ କ୍ରିକେଟ୍‌ର ଷ୍ଟାର ବ୍ୟାଟର ବିରାଟ କୋହଲି। ଅକଲାଣ୍ଡରେ ଖେଳାଯାଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ତାଙ୍କ ବ୍ୟାଟିଂ ସମୟରେ ଏଭଳି ଏକ ଘଟଣା ଘଟିଥିଲା, ଯାହାକୁ ନେଇ କିଛି ସମୟ ପାଇଁ ମ୍ୟାଚ ବନ୍ଦ ରଖିବାକୁ ପଡ଼ିଥିଲା। ଏହାର କାରଣ କେବଳ ବର୍ଷା ନ ଥିଲା, ବରଂ କୋହଲିଙ୍କ ହାତରେ ଥିବା ଏକ ଫିଟନେସ ବ୍ୟାଣ୍ଡ ମଧ୍ୟ ଥିଲା। ବ୍ୟାଟିଂ କରୁଥିବା ସମୟରେ ତାଙ୍କ ହାତରୁ ଏହି ବ୍ୟାଣ୍ଡ ଖସି ପଡ଼ିବାରୁ ଖେଳ କିଛି ସମୟ ପାଇଁ ଅଟକି ଯାଇଥିଲା।
ଭାରତୀୟ ଇନିଂସର ୧୭ତମ ଓଭରରେ ଏହି ଘଟଣା ଘଟିଥିଲା। ଏହା ପୂର୍ବରୁ ଦୁଇଥର ବର୍ଷା ଯୋଗୁ ମ୍ୟାଚ ବନ୍ଦ ରହିଥିଲା। ତେବେ ୧୭ତମ ଓଭରର ପଞ୍ଚମ ବଲ୍‌ରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ନାଥନ ସ୍ମିଥଙ୍କ ବଲ୍‌କୁ ପୁଲ ସଟ ଖେଳିବାକୁ ଚେଷ୍ଟା କରିଥିଲେ କୋହଲି। କିନ୍ତୁ ସେ ଏଥିରେ ସଫଳ ହୋଇ ନ ଥିଲେ। ବଲ୍‌ଟି ତାଙ୍କ ହାତରେ ବାଜି ଫାଇନ ଲେଗ ଅଞ୍ଚଳକୁ ଚାଲିଯାଇଥିଲା।

ଏହି ସମୟରେ କୋହଲିଙ୍କ ହାତରୁ କିଛି ଗୋଟିଏ ଜିନିଷ ଖସି ପଡ଼ିଥିଲା। ପ୍ରଥମେ କ’ଣ ଘଟିଲା ତାହା କେହି ବୁଝିପାରି ନ ଥିଲେ। ରନ ପୂରଣ କରିବା ପରେ କୋହଲି ତଳେ ପଡ଼ିଥିବା ଜିନିଷଟିକୁ ଉଠାଇଥିଲେ। ପରେ ପଡ଼ିଆରେ ଆଉ କିଛି ଖୋଜୁଥିବା ନଜର ଆସିଥିଲେ। ଏହାପରେ ଖେଳକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ପ୍ରାୟ ଏକ ମିନିଟ ପରେ ପୁଣି ଖେଳ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଓଭରରେ ଅମ୍ପାୟାର କୋହଲିଙ୍କୁ ସେ ଖୋଜୁଥିବା ଜିନିଷଟି ଫେରାଇବା ପରେ ସେ ଆଶ୍ୱସ୍ତ ହୋଇଥିଲେ।

କୋହଲିଙ୍କ ହାତରୁ ଖସି ପଡ଼ିଥିବା ଏହି ଫିଟନେସ ବ୍ୟାଣ୍ଡଟି ହେଉଛି ’ହୁପ’ (WHOOP) ବ୍ରାଣ୍ଡର। ଗତ ୨ରୁ ୩ ବର୍ଷ ଧରି କୋହଲି ଏହି ବ୍ୟାଣ୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଏକ ଅତ୍ୟାଧୁନିକ ଫିଟନେସ ଟ୍ରାକର। ଏହା କେବଳ ଶରୀରର ଗତିବିଧି କିମ୍ବା ଦୈନିକ ପାଦଚଲା ଗଣନା କରେ ନାହିଁ, ବରଂ ଶୋଇବାର ଅଭ୍ୟାସ, ନିଦ୍ରା ଚକ୍ର, ଶରୀରର ସୁସ୍ଥତା ଓ ବ୍ୟାୟାମ ପରେ ଶରୀରର ପୁନରୁଦ୍ଧାର ଭଳି ଅନେକ ଦିଗ ଉପରେ ନଜର ରଖିଥାଏ।

ଏହି ବ୍ୟାଣ୍ଡର ମୂଲ୍ୟ ପ୍ରାୟ ୨୦ ହଜାରରୁ ୪୦ ହଜାର ଟଙ୍କା ମଧ୍ୟରେ ରହିଥାଏ ବୋଲି ମୂଳ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ କେବଳ ବ୍ୟାଣ୍ଡ କିଣିଲେ ଏହାର ସମସ୍ତ ସୁବିଧା ମିଳି ନ ଥାଏ। ଏଥିପାଇଁ ଅଲଗା ସବସ୍କ୍ରିପସନ ନେବାକୁ ପଡ଼ିଥାଏ। ସବସ୍କ୍ରିପସନ ପରେ ହିଁ ଏହାର ସମସ୍ତ ଫିଟନେସ ଟ୍ରାକିଂ ସୁବିଧା ବ୍ୟବହାର କରିହୁଏ।

ବିରାଟ କୋହଲିଙ୍କ ପାଇଁ ଏହି ବ୍ୟାଣ୍ଡର ମୂଲ୍ୟ ହୁଏତ ବେଶି ନୁହେଁ। ତଥାପି ମ୍ୟାଚ ମଝିରେ ଏହାକୁ ଖୋଜିବା ଏବଂ ଫେରିପାଇବା ପରେ ଆଶ୍ୱସ୍ତ ହେବା ଘଟଣା ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

 

Dharitri – Odisha’s No.1 Odia Daily

 

Share