ଜୁନ୍‌ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷିଦ୍ଧ

ପାରାଦୀପ,୧୫ା୪(ସ୍ବ.ପ୍ର.): ମାଛବଂଶ ବୃଦ୍ଧି ନିମନ୍ତେ ଗୁରୁବାରଠାରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ରସୀମାରେ ମାଛଧରିବା ଉପରେ ପ୍ରଶାସନ ପକ୍ଷରୁ କଟାକଣା ଲଗାଯାଇଛି। ମାଛ ଧରିଲେ ଯାଆଁଳ ନଷ୍ଟ ହେବାର ଆଶଙ୍କା ଥିବାରୁ ୧୦ ବର୍ଷ ହେବ ଏହି ସମୟରେ କଟାକଣା ଲଗାଯାଉଛି। ଏଥିଯୋଗୁ ପାରାଦୀପ ମାଛଧରା ବନ୍ଦର ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର ଲୋକ ରୋଜଗାର ହରାଇବା ଆଶଙ୍କା ରହିଛି। ସମୁଦ୍ରରେ ଅନବରତ ମାଛଧରିବା ଏବଂ ଫାଶୀଜାଲ ବ୍ୟବହାର କରିବା ଯୋଗୁ ମାଛ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏତଦ୍‌ବ୍ୟତୀତ ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ ପ୍ରଭାବ ଯୋଗୁଁ କେତେକ ମାଛବଂଶ ଲୋପ ପାଇବାକୁ ବସିଲାଣି। ସମୁଦ୍ରରେ ଏହି ସମୟରେ ଜଳଜୀବଙ୍କ ଜୀବନଚକ୍ର ପ୍ରକ୍ରିୟା ଆରମ୍ଭ ହୁଏ। ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି। କଟକଣା ସମୟରେ ମତ୍ସ୍ୟଜୀବୀ ଓ ଟ୍ରଲରଗୁଡିକ ସମୁଦ୍ରକୁ ଯାଉ ନ ଥିବାରୁ ବହୁ କ୍ଷତି ସହିବାକୁ ପଡ଼େ ବୋଲି ଟ୍ରଲର ମାଲିକ ଅରବିନ୍ଦ ସ୍ବାଇଁ କହିଛନ୍ତି। ଏହି ସମୟରେ ସରକାର ମତ୍ସ୍ୟଜୀବୀଙ୍କ ନିମନ୍ତେ ଯେଉଁ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି, ତାହାକୁ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମତ୍ସ୍ୟାଧିକାରୀ ମହାପାତ୍ର କୁହନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା, ବାଲେଶ୍ବର ଭଳି କିଛି ଉପକୂଳ ଜିଲାର ଲୋକଙ୍କୁ ଏହି ସହାୟତା ମିଳୁଛି। ପାରାଦୀପର ବହୁ ମାଛଧରାଳିଙ୍କ ପାଖରେ ମତ୍ସ୍ୟଜୀବୀ ପରିଚୟପତ୍ର ନାହିଁ। ଏଥିପାଇଁ ସହାୟତା ମିଳିବାରେ ପ୍ରତିବନ୍ଧକ ସାଜିଛି।