ପୁରୀ,୫ା୭(ଅଜିତ୍ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଏସ୍ପି ପ୍ରତୀକ ସିଂଙ୍କ ନିକଟକୁ ସୂଚନା ଆସିଥିଲା ଯେ, ଆନ୍ଧ୍ରପ୍ରଦେଶର କାକିନାଡ଼ା ଫିସିଙ୍ଗ ହାର୍ବରରୁ ମାଛ ଧରିବା ପାଇଁ ବାହାରିଥିବା (ଆଇଏନ୍ଡି-ଏପି-ଭି୫-ଏମଏମ -୮୭୨) ନମ୍ବର ବିଶିଷ୍ଟ ଏକ ମାଛଧରା ଡଙ୍ଗା ସମୁଦ୍ରରେ ଫସି ରହିଛି। ଡଙ୍ଗାଟିର ଇଞ୍ଜିନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହ ନଙ୍ଗର ମଧ୍ୟ କାର୍ଯ୍ୟକ୍ଷମ ନ ଥିବାରୁ ଏହା ପୁରୀର ତାଜ ହୋଟେଲ ଉପକୂଳ ନିକଟରେ ସମୁଦ୍ରର ପ୍ରାୟ ୨ରୁ ୩ କି.ମି. ଦୂରରେ ପ୍ରତିକୂଳ ସମୁଦ୍ର ପରିସ୍ଥିତି ମଧ୍ୟରେ ଅଟକି ରହିଥିଲା। ଏହି ସୂଚନା ପାଇବା ପରେ ଏସ୍ପି ତୁରନ୍ତ ସମସ୍ତ ସମ୍ପୃକ୍ତ ଟିମ୍କୁ ସତର୍କ କରି ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବଳିଆପଣ୍ଡା ଥାନା ଓ ପେଣ୍ଠକଟା ମେରାଇନ୍ ପୋଲିସ ଥାନାର ଅଧିକାରୀ ତୁରନ୍ତ ସମନ୍ବୟ ରକ୍ଷା କରି ନିକଟସ୍ଥ ମାଛଧରା ଡଙ୍ଗା ସହ ଯୋଗାଯୋଗ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ବିଶାଖାପଟଣାର ଏକ ନିକଟବର୍ତ୍ତୀ ମାଛଧରା ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି ୧୦ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସହ ସେମାନେ ନିଜ ଘରକୁ ଫେରିଛନ୍ତି। ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ବିଜୟନଗରମ ଜିଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା ହୋଇଥିବାବେଳେ ପୁରୀ ପୋଲିସର ତ୍ୱରିତ ପଦକ୍ଷେପ, ସମନ୍ବୟ ଓ ମାନବିକ ଉଦ୍ୟମ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।