ମାଛ ଧରୁଥିଲେ ଧର୍ମପଦ: ଟାଣିନେଲା କୁମ୍ଭୀର, ଆଉ ତା’ପରେ ଯାହା ଘଟିଲା…

ମହାକାଳପଡ଼ା,୧୭।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ପୁଣି କୁମ୍ଭୀର ଆତଙ୍କ। ନଦୀରେ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିବା ବେଳେ ଜଣେ ଯୁବ ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛି ବିଶାଳକାୟ କୁମ୍ଭୀର। ତାଙ୍କୁ ଗଭୀର ପାଣିକୁ ଟାଣି ନେବା ସହ ଦୁଇ ହାତକୁ କାମୁଡ଼ି ଗୁରୁତର ଆହତ କରିଛି। ଅନ୍ୟ ମତ୍ସ୍ୟଜୀବୀଙ୍କ ଉଦ୍ୟମରେ ଯୁବକଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତ ଯୁବକ ଜଣକ ହେଉଛନ୍ତି ମହାକାଳପଡ଼ା ବ୍ଲକ ଜମ୍ବୁ ଅଞ୍ଚଳର ଧର୍ମପଦ ମଣ୍ଡଳ (୨୬)। ସୂଚନା ଅନୁଯାୟୀ, ଜମ୍ବୁ-ଗୋବରୀ-ଜମ୍ବୁ ଚଟକା ମୁହାଣ ନିକଟରେ ଧର୍ମପଦ ଡଙ୍ଗାରେ ଜାଲ ପକାଇ ମାଛ ଧରୁଥିଲେ। ଏହି ସମୟରେ ନିକଟରେ ଲୁଚି ରହିଥିବା ଏକ ବିଶାଳକାୟ କୁମ୍ଭୀର ହଠାତ୍‌ ତାଙ୍କୁ ଆକ୍ରମଣ କରି ଗଭୀର ପାଣିକୁ ଟାଣି ନେଇଥିଲା। କୁମ୍ଭୀରଟି ତାଙ୍କ ଦୁଇ ହାତକୁ କାମୁଡ଼ି ଦେଇଥିଲା। ଘଟଣାସ୍ଥଳରେ ଥିବା ଅନ୍ୟ ମତ୍ସ୍ୟଜୀବିମାନେ ତୁରନ୍ତ ଉଦ୍ୟମ କରି ଧର୍ମପଦଙ୍କୁ କୁମ୍ଭୀର କବଳରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ଏ ସମ୍ପର୍କରେ ଜମ୍ବୁ ରେଞ୍ଜ ଅଧିକାରୀ ଶାନ୍ତନୁ କୁମାର ବେହେରାଙ୍କୁ ପଚାରିବାରୁ, ନଦୀ ଓ ନାଳରେ ପ୍ରବେଶ ନକରିବା ପାଇଁ ବନ ବିଭାଗ ପକ୍ଷରୁ ନିୟମିତ ସଚେତନତା କରାଯାଉଛି ବୋଲି କହିଥିଲେ। ଏହାସତ୍ତ୍ୱେ କେତେକ ମତ୍ସ୍ୟଜୀବୀ ବେଆଇନ ଭାବେ ମାଛ ଧରୁଥିବାରୁ ଏଭଳି ଅଘଟଣ ଘଟୁଥିବା ସେ ମତ ଦେଇଛନ୍ତି। କୁମ୍ଭୀର ଅଧ୍ୟୁଷିତ ନଦୀ ଓ ନାଳରେ ମାଛ ଧରିବା ସମୟରେ ଏଭଳି ବିପଦ ବଢ଼ୁଥିବାରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share