Categories: ଖେଳ

ରଣଜୀ ଟ୍ରଫିରେ ପ୍ରଥମ ଥର ମହିଳା ଅମ୍ପାୟର

ନୂଆଦିଲ୍ଲୀ, ୭।୧୨ (ପି.ଟି.): ରଣଜୀ ଟ୍ରଫିରେ ମହିଳା ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଲାଗି ସୁଯୋଗ ଦିଆଯିବ। ସେମାନେ ହେଲେ ବ୍ରିନ୍ଦା ରାଠି, ଜନନୀ ନାରାୟଣ ଓ ଗାୟତ୍ରୀ ଭେନୁଗୋପାଳ। ତେବେ ଖେଳାଳିମାନଙ୍କ ଆକ୍ରମଣାତ୍ମକ ଅପିଲକୁ ହାତେଇବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ମଙ୍ଗଳବାର ଏହା ପ୍ରକାଶ କରିଛନ୍ତି। ଯେତେବେଳେ ପୁରୁଷ କ୍ରିକେଟ ମ୍ୟାଚଗୁଡ଼ିକ ପରିଚାଳନା ପାଇଁ ମହିଳା ଅମ୍ପାୟରମାନଙ୍କ କୁହାଯିବ, ଭାରତୀୟ କ୍ରିକେଟ ପାଇଁ ଏହା ପ୍ରଥମ ହେବ। ଅତୀତରେ ଗାୟତ୍ରୀ ଅବଶ୍ୟ ରଣଜୀ ଟ୍ରଫିରେ ରିଜର୍ଭ ଅମ୍ପାୟର (ଚତୁର୍ଥ) ଭାବେ କାର୍ଯ୍ୟ କରିଛନ୍ତି। ରଣଜୀ ଟ୍ରଫି ଡିସେମ୍ବର ୧୩ରୁ ଆରମ୍ଭ ହେବ। ସେତେବେଳେ ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳାଯିବାକୁ ଥିବାରୁ ଏହି ୩ ମହିଳା ଅଫିସିଆଲଙ୍କୁ ପୁରୁଷ ପ୍ରଥମଶ୍ରେଣୀ ପ୍ରତିଯୋଗିତାର କେତୋଟି ବଛା ବଛା ମ୍ୟାଚର ପରିଚାଳନା ଦାୟିତ୍ୱ ଦିଆଯିବ। ଚେନ୍ନାଇର ନାରାୟଣନ ଏବଂ ମୁମ୍ବାଇର ରାଠି ହେଉଛନ୍ତି ପୁରୁଖା ମହିଳା ଅମ୍ପାୟର। ୨୦୧୮ରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲର ପ୍ୟାନେଲ ଅଫ୍‌ ଡେଭଲପମେଣ୍ଟ ଅମ୍ପାୟର୍ସ ତାଲିକାରେ ସେମାନଙ୍କ ନାମ ସାମିଲ କରାଯାଇଛି। ଦିଲ୍ଲୀର ଗାୟତ୍ରୀ ବିସିସିଆଇ ପ୍ୟାନେଲରେ ପଞ୍ଜୀକୃତ ୩ ଅମ୍ପାୟରଙ୍କ ମଧ୍ୟରେ ଅନ୍ୟତମ।

Share