Categories: ଖେଳ

ପ୍ରଥମ ଟି୨୦: ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟୀ

ଅକଲାଣ୍ଡ,୨୮।୧୧(ଏପି): ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ୫ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୧ ରନ ଦେଇ ୫ ଉଇକେଟ ହାସଲ କରିଥିବା ନ୍ୟୁଜିଲାଣ୍ଡ ଅଭିଜ୍ଞ ଦ୍ରୁତ ବୋଲର ଲୋକି ଫର୍ଗୁସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ଫଳରେ ମ୍ୟାଚ୍‌କୁ ୧୬ ଓଭରରେ ସୀମିତ ରଖାଯାଇଥିଲା। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ କିରନ ପୋଲାର୍ଡ ସର୍ବାଧିକ ଅପରାଜିତ ୭୫ ରନ (୩୭ ବଲ, ୪ ଚୌକା, ୮ ଛକା) ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର ଆନ୍ଦ୍ରେ ଫ୍ଲେଚର ୩୪, ଫରବିଆନ ଆଲେନ ୩୦, ବ୍ରାଣ୍ଡନ୍‌ କିଙ୍ଗ୍‌ ୧୩ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଫର୍ଗୁସନ ସର୍ବାଧିକ ୫ ଓ ଟିମ ସୌଦି ୨ ଉଇକେଟ ଅକ୍ତିଆର କରିଥିଲେ।
ଜବାବର ବ୍ୟାଟିଂ ଆରମ୍ଭ କରି ନ୍ୟୁଜିଲାଣ୍ଡ ୧୬ ଓଭରରେ ପରିବର୍ତ୍ତିତ ବିଜୟ ଲକ୍ଷ୍ୟ ୧୭୬କୁ ସହଜରେ ହାସଲ କରି ନେଇଥିଲା। ୧୫.୨ ଓଭରରେ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୭୯ ରନ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଜେମ୍ସ ନିଶାମ ଅପରାଜିତ ୪୮ରନ (୨୪ ବଲ, ୫ ଚୌକା, ୩ ଛକା), ମିଚେଲ ସାଣ୍ଟନର ଅପରାଜିତ ୩୧ ରନ (୧୮ ବଲ, ୩ ଛକା) କରି ଦଳକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଦର୍ପଣ କରିଥିବା ଡେଭନ କନଓ୍ବେ ୪୧ (୨୯ ବଲ, ୫ ଚୌକା, ୧ ଛକା), ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ୧୭, ଗ୍ଲେନ ଫିଲିପ୍ସ ୨୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜର ଓଶେନ ଥୋମାସ ୨, ସେଲଡନ କଟ୍ରେଲ ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅକଲାଣ୍ଡରେ ନ୍ୟୁଜିଲାଣ୍ଡ ଗତ ୧୧ ମ୍ୟାଚ୍‌ ଖେଳି ଦ୍ୱିତୀୟ ବିଜୟ ହାସଲ କରିଛି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଗୋଟିଏ ଆଣ୍ଠୁ ମାଡି ବସି ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୧୬ ଓଭରରେ ୧୮୦/୭(ପୋଲାର୍ଡ- ୭୫*, ଫ୍ଲେଚର- ୩୪, ଆଲେନ- ୩୦, ଫର୍ଗୁସନ- ୫/୨୧, ସୌଦି- ୨/୨୨)।
ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ୧୭୯/୫ (ନିଶାମ- ୪୮*, ସାଣ୍ଟନର- ୩୧*, କନଓ୍ବେ- ୪୧, ଫିଲିପ୍ସ- ୨୨, ଥୋମାସ- ୨/୨୩)।

Share