ବଣାଇଁ, ୭।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୫ ଡିଗ୍ରୀ ଛୁଇଁଛି। ସାରା ବଣାଇଁ ବର୍ତ୍ତମାନ ଜାଡରେ ଥରୁଥିବା ବେଳେ କୋଇଡାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଏହା ପ୍ରଥମ ତୁଷାରପାତ । ପୂର୍ବ ରାତ୍ରିରେ ବଣାଇଁ ଓ ଗୁରୁଣ୍ଡିଆ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ଓ କୋଇଡା ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । କୋଇଡ଼ାର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି। ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି। ବଣାଇଁ ସମେତ ଗୁରୁଣ୍ଡିଆ, ଲହୁଣିପ ଓ କୋଇଡ଼ାରେ ଜାଡ ପ୍ରକୋପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅପରପକ୍ଷେ ସାରା ରାଜ୍ୟରେ ଶୀତର ପ୍ରକୋପ ଆଗକୁ ବୃଦ୍ଧି ପାଇବା ନେଇ ଥିବା ସୂଚନାକୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇ ବୃଦ୍ଧା ଓ ବୃଦ୍ଧଙ୍କ ପାଇଁ ସଚେତନ ରହିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


