ମୋ ଘର ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗାଁରେ। ପିଲାବେଳୁ ପାଠରେ ଖୁବ୍ ଭଲ ଥିଲି। ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍ କରିବା ପରେ ଆମ ଗାଁ ପାଖରେ ନୂଆ କରି ଖୋଲିଥିବା ଏକ ବେସରକାରୀ କଲେଜ; ଯାହାର ନଁା ରାଧାବଲ୍ଲଭ ମହାବିଦ୍ୟାଳୟ, ସେଠାରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ ଯୋଗଦେଲି। ସେ ପୁଣି ବିନା ବେତନରେ। ମଝିରେ ମଝିରେ କଲେଜ ମ୍ୟାନେଜମେଣ୍ଟ ତରଫରୁ ଯେଉଁ ଶହେ କି ଦୁଇ ଶହ ଟଙ୍କା ମିଳୁଥିଲା, ତାହା ମୋ ଲୁନାରେ ତେଲ ପକାଇବାରେ ସରିଯାଉଥିଲା। ଏମିତି ପ୍ରାୟ ୩ ବର୍ଷ ଅଧ୍ୟାପନା କରିବା ପରେ ରେଗୁଲାର ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଏକ ସରକାରୀ ବିଜ୍ଞାପନ ବାହାରିଲା। ବାଧ୍ୟ ହୋଇ ସେଥିରେ ଆବେଦନ କଲି। କାରଣ ସେତେବେଳକୁ ସରକାରୀ ଚାକିରି ପାଇବାର ପରିସର ସଙ୍କୁଚିତ ତଥା କଷ୍ଟସାଧ୍ୟ ହେବାକୁ ଆରମ୍ଭ ହୋଇଯାଇଥିଲା। ମୋ ପରି ଶହ, ଶହ ଯୁବକ ଯୁବତୀ ଛୋଟ ପଦବୀ ହେଉ ପଛେ ସରକାରୀ ଚାକିରି ପାଇଁ ପ୍ରାଣପଣେ ଲାଗୁଥିଲେ। ତେଣୁ ମୁଁ ବି ସେହି ପଥକୁ ଅନୁସରଣ କଲି। ଯୋଗକୁ ଇଣ୍ଟରଭ୍ୟୁରେ ସଫଳ ହେବାରୁ ମୋର ପ୍ରଥମ ପୋଷ୍ଟିଂ କଣାସ ବ୍ଲକର ଲୋକାପାଳ ପ୍ରାଥମିକ ବିଦ୍ୟାଳୟରେ ହେଲା। ୧୯୯୭ ମସିହା ଜୁନ ୨୦ରେ ଏଥିରେ ଯୋଗ ଦେଲି। ସେତେବେଳେ ରାସ୍ତାଘାଟ ଆଜି ପରି ନ ଥିଲା କି ପ୍ରତି ସମୟରେ ବସ୍ ଯୋଗାଯୋଗ ନ ଥିଲା। ଘରୁ ବାହାରି ୪/୫ଜାଗାରେ ଗାଡି ବଦଳେଇଲେ ମୋ ସ୍କୁଲ ପାଖରେ ପହଞ୍ଚିଲା ହେଉଥିଲା। ତା’ଛଡା ହଠାତ୍ କଲେଜ ପିଲାଙ୍କର ଅଧ୍ୟାପନା ଛାଡି ଛୋଟ ପିଲାଙ୍କୁ ଶିକ୍ଷାଦାନ କରିବା ଯେ କେତେ କଷ୍ଟକର କଥା ତାହାକୁ ମର୍ମେ ମର୍ମେ ଉପଲବ୍ଧି କରୁଥିଲେ ହେଁ, ବେକାରି ଜୀବନରୁ ତ୍ରାହି ମିଳିଛି ବୋଲି ଭାବି ସବୁ କଷ୍ଟକୁ ନିଜ ଭିତରେ ଚାପିରଖି କର୍ମପଥରେ ଆଗେଇ ଚାଲିଥିଲି। ପ୍ରତିଦିନ ବଡି ଭୋରରୁ ଉଠି ଚାଲିଚାଲି ଗୋପ ଯାଇ ବସ୍ ଧରି ୭ଟା ସୁଦ୍ଧା ନିମାପଡାରେ ପହଞ୍ଚୁଥିଲି। ସେଠୁ ପୁଣି ଅସ୍ତରଙ୍ଗ-ମନ୍ଦାରବସ୍ତ ଗାଡି ଧରୁଥିଲି। ଯେଉଁଦିନ ଟିକେ ଡେରି ହୋଇଯାଉଥିଲା, ଗାଡି ମିଳୁ ନ ଥିଲା। ପୁଣି କୋଶେ ବାଟ ସେଠୁ ଚାଲିବାକୁ ପଡୁଥିଲା। ଯାହାହେଉ ପାରିବାରିକ ବୋଝକୁ ହାଲୁକା କରିବାକୁ ସବୁ କଷ୍ଟ ସହି କର୍ତ୍ତବ୍ୟ କରିଚାଲିଥିଲି। ଦେଖୁଦେଖୁ ଜୁନ୍ ମାସ ପୂରିଗଲା। ଦରମା ମିଳିବ ବୋଲି ସୂଚନା ପାଇଲି। ମନରେ ଅନେକ ଆଶା ଆଉ ଉନ୍ମାଦନା। ସେତେବେଳେ ଦରମା ନଗଦ ଆକାରରେ ବ୍ଲକରେ ଦିଆଯାଉଥିଲା ଓ ସେଦିନ ସ୍କୁଲ ବନ୍ଦ ରହୁଥିଲା। ଜୁଲାଇ ମାସ ୬ ତାରିଖରେ ଦରମା ମିଳିଲା। ଚାକିରି ଜୀବନର ପ୍ରଥମ ମାସର ୧୦ଦିନର ଦରମା ଆକାରରେ ୧୩୮୦ ଟଙ୍କା ପାଇଲି। ଟଙ୍କାକୁ ଗଣି ପକେଟ୍ରେ ରଖି ଘରକୁ ଆସିବାକୁ ଉଚ୍ଛନ୍ନ ହେଲି। ବସ୍ରେ ବସି ଘରକୁ ଫେରିବା ବାଟରେ ବାରମ୍ବାର ପକେଟ୍ରେ ହାତ ମାରୁଥିଲି, ଟଙ୍କାଟା ଠିକ୍ ଠାକ୍ ଅଛି ନା ନାହିଁ ବୋଲି। କଣାସରୁ ବସ୍ରେ ବସି ପଟ୍ଟନାୟିକିଆ ଆଉ ସେଠୁ ପିପିଲି ଆସିଲି। ପିପିଲି ବଜାରରୁ ବୋଉ ପାଇଁ ଖଣ୍ଡେ ଘରପିନ୍ଧା ଶାଢ଼ି ଆଉ ନିମାପଡାରୁ ମିଠା କିଣି ଆମ ଗାଁରେ ଆସି ପହଞ୍ଚତ୍ଲା ବେଳକୁ ରାତି ୮ଟା ବାଜି ସାରିଥିଲା। ତଥାପି କିଛି ବାଧା ଲାଗୁ ନ ଥାଏ, ପାଞ୍ଚ ହାତରେ ଗୋଡ଼ ମୋର ପଡୁଥାଏ। ଦାଣ୍ଡ ଦୁଆରେ ପହଞ୍ଚି ଡାକଟେ ମାରିଲି ”ବୋଉ ଲୋ! ମୁଁ ଆସିଗଲି, ଆଜି ଦରମା ମିଳିଲା,ଏଇ ନେ ତୋ ପାଇଁ ଲୁଗା ଓ ସମସ୍ତଙ୍କ ପାଇଁ ମିଠା ଆଉ ଏ ଟଙ୍କା।“ ମୋ ହାତରୁ ଥାଥା ମାମା ହୋଇ ଟଙ୍କା ତକ ଧରିଲାବେଳକୁ ବୋଉ
ଆଖିରୁ ଝରିପଡିଥିଲା ଦୁଇଟୋପା ଲୁହ। ସେ ଆନନ୍ଦର ଅବର୍ଣ୍ଣନୀୟ ଅନୁଭବକୁ ବର୍ଣ୍ଣନା କରିବାକୁ ଆଜି ବି ମୋ ଆଖି ଓଦା ହୋଇଯାଉଛି, ବାଷ୍ପରୁଦ୍ଧ ହୋଇଯାଉଛି କଣ୍ଠ। ବାସ୍ତବରେ ଜୀବନର ପ୍ରଥମ ରୋଜଗାରର ସ୍ମୃତି ସତରେ ବେଶ୍ ନିଆରା। ତେବେ ସେ ଯାହା ହେଉ ୟା’ ଭିତରେ ମୁଁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଏବେ ଗୋପ ବ୍ଲକ ଅନ୍ତର୍ଗତ ଲୁଣହାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ସ୍ନାତକ ଶିକ୍ଷକ (କଳା) ଭାବେ କାର୍ଯ୍ୟରତ। ତା’ସହିତ କବିତା ଲେଖାରେ ବି ରୁଚି ରଖିଛି। ଆଉ ଏଇ କବିତା ପାଇଁ ଉତ୍କଳ ଯାଦବ ସମ୍ମିଳନୀ ତରଫରୁ ମୋତେ କବି କାଇଁଚ ଉପାଧି ମଧ୍ୟ ମିଳିଛି। ‘ଏଇ ମୋ ଛୋଟ ଗାଆଁଟି’ ହେଉଛି ମୋ ରଚିତ ଏକ କବିତା ସଂକଳନ।


