ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ କୌଣସି ଥଇଥାନ ବ୍ୟବସ୍ଥା କରାଯାଉ ନ ଥିବା ଯୋଗୁ ଏଥିରେ ପ୍ରଭାବିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ବରଗଡ଼ ପୌର ପରିଷଦର ୱାର୍ଡ ନଂ-୧୩ ଅଧୀନ ସୁଇପର କଲୋନୀବାସୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ବିନା ଥଇଥାନରେ ଉଚ୍ଛେଦ ନ କରିବା ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼ କଲେଜ ରୋଡ୍ ପାର୍ଶ୍ୱରେ ସୁଇପର୍ କଲୋନୀ ଗଢ଼ି ଉଠିଛି। ବାପଅଜା ଅମଳରୁ ପଡ଼ାବାସୀ ଏଠାରେ ଘରଦ୍ୱାର କରି ରହିଆସୁଛନ୍ତି। ତେବେ ଏଠାରେ ରହୁଥିବା ଅଧିକାଂଶ ଲୋକ ମୁଖ୍ୟତଃ ପୌର ପରିଷଦର ସଫେଇ କର୍ମଚାରୀ ଭାବେ କାମ କରିଆସୁଛନ୍ତି। ତେବେ ଗୁରୁବାର ଉକ୍ତ ପଡ଼ାର ସମସ୍ତ ଘରକୁ ଉଚ୍ଛେଦ ପାଇଁ ଚିହ୍ନଟ କରାଯାଇଛି। ଶନିବାର ଉଚ୍ଛେଦ କରାଯିବ ଏବଂ ଏହାପୂର୍ବରୁ ଘର ଖାଲି କରିବା ପାଇଁ ପୌର ପରିଷଦ କର୍ମଚାରୀମାନେ ସେମାନଙ୍କୁ କହିଥିବା ପଡ଼ାବାସୀ ପ୍ରକାଶ କରିଛନ୍ତି। ଏହା ଜାଣିବା ପରେ ପଡ଼ାବାସୀଙ୍କ ଚିନ୍ତା ବଢ଼ି ଯାଇଛି। ଅନ୍ୟ କେଉଁଠି ସେମାନଙ୍କ ଆଉ ବାସସ୍ଥାନ ନ ଥିବା ଯୋଗୁ ଉଚ୍ଛେଦ ପରେ ସେମାନେ କେଉଁଠି ଛୁଆପିଲା ଧରି ରହିବେ ବୋଲି କହିଛନ୍ତି। ଅନ୍ୟପଟେ ପୌର ପ୍ରଶାସନ ପକ୍ଷରୁ କାଗଜ ଖଣ୍ଡିଏ ଲେଖାଏଁ ସବୁ ପରିବାରକୁ ଧରାଇ ଦିଆଯାଇଛି ଏବଂ ସେମାନଙ୍କୁ ଜାଗା ଯୋଗାଇ ଦିଆଯାଇଥିବା ନେଇ ପୌର କର୍ମଚାରୀମାନେ କହିଥିବା ପଡ଼ାବାସୀ ପ୍ରକାଶ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କେଉଁ ଜାଗା ପ୍ରଦାନ କରାଯାଇଛି, ତାହା କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଦେଖାଇ ନ ଥିବା ପଡ଼ାବାସୀ କହିଛନ୍ତି। ଅପରପକ୍ଷେ ପରିବାରରେ ବୃଦ୍ଧାବୃଦ୍ଧ, ଛୁଆପିଲା, ଗର୍ଭବତୀ ମହିଳା ରହିଛନ୍ତି। ଏଭଳି ସ୍ଥିତିରେ ସେମାନେ କେଉଁଠିକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଆଗକୁ ବର୍ଷା ଆସୁଛି। ଫଳରେ ଉଚ୍ଛେଦ ପୂର୍ବରୁ ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବା ପାଇଁ ପଡ଼ାବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ପଡ଼ାର ଅନେକ ମହିଳା ଉପସ୍ଥିତ ଥିଲେ।