ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କଲା ନାସା

ନ୍ୟୁୟର୍କ,୧୨।୭: ଆମେରିକାର ସ୍ପେସ ଏଜେନ୍ସି ନାସା ପକ୍ଷରୁ ଗାଲାକ୍ସି ବା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କରାଯାଇଛି। ଦୁନିଆର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ ‘ଜେମ୍ସ ୱେବ ଟେଲିସ୍କୋପ’ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଚିତ୍ରରେ ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ଦୃଶ୍ୟମାନ ହେଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଏହି ଚିତ୍ର ଗୁଡ଼ିକର ପ୍ରଥମ ଝଲକ ଦେଖିଥିଲେ। ଏହି ଅବସରରେ ନାସା ଆଡମିନିଷ୍ଟ୍ରେଟର ବିଲ ନେଲସନ ମଧ୍ୟ ଉପସ୍ଥିତ ଥିଲେ।
ଗତ ବର୍ଷ ଡିସେମ୍ବରରେ ଜେମ୍ସ ୱେବ ଟେଲିସ୍କୋପ ଲଞ୍ଚ କରାଯାଇଥିଲା। ବୈଜ୍ଞାନିକମାନେ ସେହି ସମୟରେ ଯାହା ଆଶା କରିଥିଲେ, ତାହା ଏହି ଚିତ୍ର ସାମ୍ନାକୁ ଆସିବା ପରେ ସଠିକ ପ୍ରମାଣିତ ହୋଇଛି। ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ) ଏବଂ କାନାଡାର ସ୍ପେସ ଏଜେନ୍ସି (ସିଏସଏ) ଏହି ପ୍ରକଳ୍ପରେ ଅଂଶୀଦାର ଅଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଶେୟାର କରି ଲେଖିଛନ୍ତି, ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ ମାଧ୍ୟମରେ ପ୍ରଥମ ତଥା ଅତି ବିଶେଷ ଚିତ୍ର ପ୍ରକାଶ ପାଇବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ମହାକାଶ ଅନୁସନ୍ଧାନ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ଆମେରିକା ଏବଂ ସମସ୍ତ ମାନବିକତା ପାଇଁ ଏହା ସମର୍ପିତ
ମହାକାଶରେ ଲଞ୍ଚ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ମଧ୍ୟରୁ ଜେମ୍ସ ୱେବ ଟେଲିସ୍କୋପ ଅନ୍ୟତମ। ବୈଜ୍ଞାନିକମାନେ ୱେବ ଟେଲିସ୍କୋପ୍‌ର ବୟସକୁ ଦଶ ବର୍ଷ ବୋଲି କହିଛନ୍ତି, କିନ୍ତୁ ସେମାନେ ଆଶା କରୁଛନ୍ତି ଯେ ଏହା ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ନାସାର ଡେପୁଟି ଆଡମିନିଷ୍ଟ୍ରେଟର ପାମ ମେଲରାୟଙ୍କ ଅନୁଯାୟୀ, ନାସାର ମିଶନରେ ୨୦ ବର୍ଷ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଅତିରିକ୍ତ ଇନ୍ଧନ କ୍ଷମତା ରହିଛି।

Share