Categories: ଜାତୀୟ

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ନୂଆଦିଲ୍ଲୀ,୧୨ା୨ପି.ଟି.): ସାଧାରଣ ବଜେଟ ଓ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଜାନୁୟାରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୨-୨୩ ବର୍ଷ ଲାଗି ବଜେଟ ଉପସ୍ଥାପନ କରିଥିଲେ। ବଜେଟ ପ୍ରସ୍ତାବ ଉପରେ ଅଧ୍ୟୟନ ଲାଗି ତିନି ସପ୍ତାହ ବିରତି ପରେ ମାର୍ଚ୍ଚ ୧୪ରୁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଏପ୍ରିଲ ୮ରେ ଶେଷ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଅନୁଦାନ ଦାବି, ବିନିଯୋଗ ବିଧେୟକ, ଅର୍ଥ ବିଧେୟକ ସମେତ ଅନ୍ୟାନ୍ୟ ବିଲ୍‌ ଅଣାଯିବ। କୋଭିଡ୍‌-୧୯ ଚ୍ୟାଲେଞ୍ଜ ସତ୍ତ୍ୱେ ସଦସ୍ୟମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ଲୋକ ସଭା ୧୨୧ ପ୍ରତିଶତ ସଫଳ ହୋଇଥିବା ଓମ୍‌ ବିର୍ଲା କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପାଇଁ ୧୨ ଘଣ୍ଟା ପରିବର୍ତ୍ତେ ୧୫ ଘଣ୍ଟା ୧୩ ମିନିଟ ସମୟ ଦିଆଯାଇଥିଲା। ଏଥରେ ୬୦ ସଦସ୍ୟ ଆଲୋଚନାରେ ଭାଗନେବା ସହ ଅନ୍ୟ ୬୦ ଜଣ ଲିଖିତ ବକ୍ତବ୍ୟ ଦାଖଲ କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷ ଦିନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ, ଟିଏମ୍‌ସି, ନ୍ୟାଶନାଲ କନ୍‌ଫରେନ୍ସ ଆଦି ଦଳ କକ୍ଷତ୍ୟାଗ କରିଥିଲେ। ସୂଚନାଯୋଗ୍ୟ, ଭାଜପା ୟୁପିରେ କ୍ଷମତାକୁ ନ ଆସିଲେ, ଏହା କଶ୍ମୀର, କେରଳ କିମ୍ବା ପଶ୍ଚିମବଙ୍ଗରେ ପରିଣତ ହୋଇପାରେ ବୋଲି ଯୋଗୀ ଏକ ସଭାରେ କହିଥିଲେ। ଏହାର ପ୍ରତିବାଦରେ କେରଳ କଂଗ୍ରେସର ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଆଣିଥିଲେ। ସେହିପରି ରାଜ୍ୟ ସଭାରେ ଧାର୍ଯ୍ୟ ସମୟଠାରୁ ଅଧଘଣ୍ଟା ଅଧିକ କାର୍ଯ୍ୟ ହୋଇଛି। ଅଧିବେଶନ ସମୟରେ ବାଧ୍ୟବାଧକତାରେ ମୁଲତବୀ ହୋଇ ନ ଥିବା ଉପାଧ୍ୟକ୍ଷ ହରିବଂଶ କହିଛନ୍ତି। ଉଚ୍ଚ ସଦନରେ ବିଶୃଙ୍ଖଳା ବିହୀନ କାର୍ଯ୍ୟଧାରା ପାଇଁ ହରିବଂଶ ଆନନ୍ଦ ବ୍ୟକ୍ତ କରିଥିଲେ।

Share