Categories: ଜାତୀୟ

୫୦ ବର୍ଷ ପରେ ମିଳିଲା ପ୍ରଥମ ପ୍ରେମ

ଜୟପୁର, ୫।୪: ପ୍ରେମ ପାଇଁ ଫରକ୍‌ ପକାଇପାରେନି ବୟସ, ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜସ୍ଥାନ ଜୈସାଲମୈରସ୍ଥିତ କୁଲଧାରା ଗ୍ରାମର ଚୌକିଦାର ଦରଓ୍ବାନ ସିଂଙ୍କ କ୍ଷେତ୍ରରେ। ୫୦ ବର୍ଷ ପରେ ଜୀବନର ପ୍ରଥମ ପ୍ରେମ ତାଙ୍କୁ ମିଳିବା ପରେ ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ଲଭ୍‌ ଷ୍ଟୋରି ପାଲଟିଛି। ୮୨ ବର୍ଷୀୟ ଦରଓ୍ବାନ ସିଂଙ୍କୁ ୩୦ ବର୍ଷ ହୋଇଥିବାବେଳେ ଅଷ୍ଟ୍ରେଲିଆରୁ ମାରିନା ନାମକ ଯୁବତୀ ଜୈସାଲମୈରକୁ ଟ୍ରିପ୍‌ରେ ଆସିଥିଲେ। ପ୍ରଥମ ଦେଖାରେ ହିଁ ଉଭୟେ ପ୍ରେମରେ ପଡ଼ିଥିଲେ। ଫେରିଯିବା ପୂର୍ବରୁ ମାରିନା ନିଜ ମନ କଥା ତାଙ୍କୁ କହିଦେଇଥିଲେ। କିଛି ଦିନର ଚିଠି ଦିଆନିଆ ପରେ ୩୦ ହଜାର ଟଙ୍କା ଲୋନ୍‌ ନେଇ ଅଷ୍ଟ୍ରେଲିଆରେ ମାରିନାଙ୍କ ପାଖରେ ପହଞ୍ଚିଯାଇଥିଲେ ଦରଓ୍ବାନ। ସେଠାରେ ୩ ମାସର ରହଣି ମଧ୍ୟରେ ମାରିନା ଦେଇଥିଲେ ବିବାହ ପ୍ରସ୍ତାବ। କିନ୍ତୁ ଘର ପରିବାର ଛାଡ଼ି ଅଷ୍ଟ୍ରେଲିଆରେ ବାସ କରିବା ଦରଓ୍ବାନଙ୍କ ପକ୍ଷରେ ସହଜ ହୋଇ ନ ଥିଲା। ଫଳରେ ସେଠାରୁ ଫେରି ଦରଓ୍ବାନ ବିବାହ କରିଥିଲେ। ତାଙ୍କର ୨ ପୁଅ ଥିବାବେଳେ ଦୁଇ ବର୍ଷ ପୂର୍ବେ ସ୍ତ୍ରୀଙ୍କ ମୃତ୍ୟୁ ଘଟିସାରିଛି। ହେଲେ ୮୨ ବର୍ଷ ବୟସରେ ବି ଜୀବନ ଆଶ୍ଚର୍ଯ୍ୟ କଲା ଭଳି ଉପହାର ଦେବ ସେ କଥା ସେ ଭାବି ନ ଥିଲେ। କିଛି ଦିନ ତଳେ ହଠାତ୍‌ ମାରିନାଙ୍କ ଏକ ଚିଠି ଆସି ପହଞ୍ଚିଥିଲା ଦରଓ୍ବାନଙ୍କ ନିକଟରେ। ମାରିନା ଅବିବାହିତ ଥିବା ସେ ଜାଣିବାକୁ ପାଇଥିଲେ। ଏହା ପରଠାରୁ ଉଭୟଙ୍କ ପ୍ରେମ କାହାଣୀର ମାଧ୍ୟମ ପାଲଟିଛି ଫୋନ୍‌। ଖୁବ୍‌ଶୀଘ୍ର ମାରିନା ଭାରତ ଆସୁଛନ୍ତି ବୋଲି ଜାଣିବା ପରେ ସେ ନିଜକୁ ଜଣେ ୨୧ ବର୍ଷୀୟ ଯୁବକ ବୋଲି ମନେ କରୁଥିବା ଦରଓ୍ବାନ କହିଛନ୍ତି।

Share