ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ)ରେ ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରରେ ପାଣି ବଢ଼ିବା ପରେ ରବିବାର ସକାଳୁ ଡ୍ୟାମର ଗେଟ୍ ଖୋଲାଯାଇ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଡ୍ୟାମର ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇଲେ ଏବଂ ଜଳସ୍ତର ଆହୁରି ବଢ଼ିଲେ ଆବଶ୍ୟକତା ଅନୁଯାୟୀ ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଜଳସେଚନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀ ଏବଂ ଜଳପ୍ରବାହ ନିକଟକୁ ଅନାବଶ୍ୟକ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।