ପାକ୍‌ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟର ୭୫ ବର୍ଷ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ସେପ୍ଟେମ୍ବର ୯ରେ ଜଷ୍ଟିସ୍‌ ଆୟେଶା ମଲିକଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯିବ। ପାକିସ୍ତାନର ସର୍ବୋଚ୍ଚ ଅଦାଲତରେ ବିଚାରପତି ରୂପେ ନିଯୁକ୍ତ ହେବାରେ ଜଷ୍ଟିସ୍‌ ଆୟେଶା ହେବେ ପ୍ରଥମ ମହିଳା।
ପାକିସ୍ତାନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ମୁଶିର ଆଲାମ ଆସନ୍ତା ୧୭ରେ ଅବସର ନେବେ। ଖାଲି ହେବାକୁ ଥିବା ଏହି ପଦବୀରେ ଜଷ୍ଟିସ୍‌ ଆୟେଶାଙ୍କୁ ନିଯୁକ୍ତି ଦେବା ଲାଗି ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ସୁପାରିସ କରିଛନ୍ତି। ଆୟେଶା ଲାହୋରସ୍ଥିତ ପାକିସ୍ତାନ ଲ’ କଲେଜରେ ଆଇନ ପାଠ ପଢ଼ିଥିଲେ। ଲଣ୍ଡନସ୍ଥିତ ହାର୍ଭାର୍ଡ ଲ’ ସ୍କୁଲରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ୧୯୯୭ରେ ଫଖୁରଦ୍ଦିନ ଜି. ଇମ୍ରାହିମ୍‌ଙ୍କ ଲିଗାଲ ଫାର୍ମରେ କ୍ୟାରିୟର ଆରମ୍ଭ କରି ୨୦୦୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୧୨ରେ ଲାହୋର ହାଇକୋର୍ଟରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ସେ ଲାହୋର ହାଇକୋର୍ଟରେ କାର୍ଯ୍ୟରତ ଓ ବରିଷ୍ଠତା ତାଲିକାରେ ଚତୁର୍ଥ ର଼୍ୟାଙ୍କରେ ଅଛନ୍ତି।

Share