ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର ଗ୍ରହଣ ସଂସ୍ଥା ନୂଆପଡ଼ା ମଧ୍ୟସ୍ଥତାରେ ଏକ ଶିଶୁ କନ୍ୟାକୁ ତାମିଲନାଡୁର ଏକ ଦମ୍ପତି ଗ୍ରହଣ କରିଛନ୍ତି। ପୋଷ୍ୟ କନ୍ୟାର ସମ୍ପୂର୍ଣ୍ଣ ଶିକ୍ଷା, ସେବା ଓ ସୁରକ୍ଷା ଦାୟିତ୍ୱ ନୂଆ ପରିବାର ଆଇନ ସମ୍ମତ ହିସାବରେ ନେଇଛନ୍ତି। ପୂର୍ବରୁ ନୂଆପଡ଼ାର ଏଭଳି ପୋଷ୍ୟ ସନ୍ତାନ ଦାନ କଳାହାଣ୍ଡି ଜିଲା ମାର୍ଫତରେ ହେଉଥିଲା l ଏବେ ଜିଲାପାଳ ମଧୁସୂଦନ ଦାଶଙ୍କ ପ୍ରଚେଷ୍ଟା ବଳରେ ଏହି ପ୍ରକ୍ରିୟା କାର୍ଯ୍ୟକ୍ଷମ ହୋଇପାରିଛି। ଏହି ଘଟଣା ଜିଲାରେ ପୋଷ୍ୟ ସନ୍ତାନ ସୁରକ୍ଷାରେ ଏକ ମାଇଲଷ୍ଟୋନ ହେବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ବିଭାଗ ଭାରପ୍ରାପ୍ତ ଅଧିକାରୀ ଚିନ୍ମୟ ସାଗର ଓ ଜିଲା ଶିଶୁ ମଙ୍ଗଳ ସମିତି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକ ବିଧି ବ୍ୟବସ୍ଥା ଗ୍ରହଣ କରିଥିଲେ। ଏହି ନୂତନ ପଦକ୍ଷେପ ଜିଲାରେ ଅନ୍ୟ ଅବାଞ୍ଛିତ ଶିଶୁମାନଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛି।
Dharitri – Odisha’s No.1 Odia Daily


