‘ଦୃଢ଼ ଆତ୍ମବିଶ୍ୱାସ, ସାହସ ହିଁ ଗବେଷଣାର ପ୍ରକୃତ ପଥ’

ବାରିପଦା ଅଫିସ, ୨୦।୧୧:  ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଗବେଷକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ଗବେଷଣା ନିମନ୍ତେ ପ୍ରୋତ୍ସାହନ ପାଇଁ ଏକ ସମ୍ମିଳନୀ ବିଶ୍ୱବିଦ୍ୟାଳୟର ସମ୍ମେଳନ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ରୂପେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରିଲୁକ ବା ପୁନର୍ବିଚାରକୁ ଗବେଷଣାର ଏକ ବିଶିଷ୍ଟ ଅଙ୍ଗ ବୋଲି ପ୍ରତିପାଦିତ କରିବା ସହ ଆଗ୍ରହ, ଦୃଢ ଆତ୍ମବିଶ୍ୱାସ ଏବଂ ସାହସ ହିଁ ଗବେଷଣାର ପ୍ରକୃତ ପଥ ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ରୂପେ ଜାମସେଦ୍‌ପୁରସ୍ଥିତ ରାଷ୍ଟ୍ରୀୟ ଧାତୁକର୍ମ ପ୍ରୟୋଗଶାଳାର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡ. ତ୍ରିଲୋଚନ ମିଶ୍ର ଯୋଗଦେଇ ଗବେଷଣା ପାଇଁ ପ୍ରକୃତିରୁ ପ୍ରେରଣା ଆହରଣ କରିବା ପାଇଁ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି ଗବେଷଣା ଦିଗରେ ଆକୃଷ୍ଟ କରିବାର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଅନ୍ତରୀଣ ଗୁଣବତ୍ତା ନିଶ୍ଚିତତା ସେଲ ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ଗବେଷଣା ପାଇଁ ମହିଳାମାନଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମ୍ମିଳନୀର ଗବେଷଣା ଅଧିବେଶନରେ ଜୈବ ପ୍ରାୟୋଗିକ ବିଭାଗୀୟ ମୁଖ୍ୟ ପ୍ରଫେସର ହୃଦୟନାଥ ଥାଟୋଇ ‘ଶିମିଳିପାଳ ଜୈବମଣ୍ଡଳର ଛତୁ ଜୈବ ବିବିଧତା ତଥା ଜୈବ ପ୍ରାୟୋଗିକତା’ ସମ୍ପର୍କରେ ଏବଂ ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ‘ସାମାଜିକ ବିଜ୍ଞାନ ଅନୁସନ୍ଧାନ ଅଧୀନରେ ତଥ୍ୟ ସଂଗ୍ରହ’ ଶୀର୍ଷକ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ.କୁକୁ ମହାପାତ୍ର ସଂଯୋଜନା କରିଥିଲେ। ଇଂଲିଶ ଅଧ୍ୟାପକ ଡ. ଶକ୍ତିଶେଖର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର ୭୦ଜଣ ଗବେଷକ ଗବେଷିକା ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ନିଜର ଗବେଷଣା ସମ୍ବଳିତ ପୋଷ୍ଟର ପରିବେଷଣ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ମତବିନିମୟ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଶ୍ରେଷ୍ଠ ଗବେଷଣା ସମ୍ବଳିତ ପୋଷ୍ଟର ଓ ଶ୍ରେଷ୍ଠ ସ୍ନାତକୋତ୍ତର ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ନିକଟରେ ଓ ସରକାରଙ୍କ ଦ୍ୱାରା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓ ରିସର୍ଚ୍ଚ କନକ୍ଲେଭ ଶ୍ରେଷ୍ଠ ପୋଷ୍ଟର୍‌ ନିମନ୍ତେ ପୁରସ୍କୃତ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଗବେଷିକା ଛାତ୍ରୀ ଏ. ସାରଦା ଆଚାରୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ବସା ସମ୍ବର୍ଦ୍ଧିତ କରିଥିଲେ।