ଫିରିଙ୍ଗିଆ ପୂର୍ବତନ ଥାନାଧିକାରୀ ନିଲମ୍ବିତ

ଫୁଲବାଣୀ,୧୨ା୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ପୂର୍ବତନ ଥାନାଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଳା ଏବଂ ତାଙ୍କ ବିରୋଧରେ ଆସିଥିବା ଗଞ୍ଜେଇ ଚାଲାଣ ଅଭିଯୋଗ ଘଟଣାରେ ଏହି ପଦକ୍ଷେପ ନିଆଯାଇଛି। ସେ ଏବେ ଦକ୍ଷିଣାଞ୍ଚଳ ଆଇଜିଙ୍କ ତତ୍ତ୍ୱାବଧାନରେ ରହିବେ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଫିରିଙ୍ଗିଆ ଥାନାଧିକାରୀଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ତାଙ୍କୁ ନିଲମ୍ବନ ଓ ଗିରଫ ଦାବିରେ ଗତ ୫ ତାରିଖରେ ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଳିକ, ଜଣେ ଏସ୍‌ଆଇଙ୍କୁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରେ ଥାନା ଭିତରେ ପସି ପୋଡ଼ାଜଳା କରିବା ସହ ଜବତ ହୋଇ ରହିଥିବା ଗଞ୍ଜେଇ ଏବଂ ଗୋଟିଏ କାରରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ସେତେବେଳେ ଥାନାଧିକାରୀ ନାହାକଙ୍କୁ ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା।