ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ ଦେଇଥିବା ମହମ୍ମଦ ଅନିଶ(୩୬)ଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଭିଯୁକ୍ତ ରାଜା ସ୍ୱାମୀ(୨୫)ଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବେଆଇନ ବନ୍ଧୁକକୁ ପୋଲିସ ଜବତ କରିଛି।
ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏଏସ୍ପି) ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ଅନିଶଙ୍କ ନିକଟରେ କାମ କରୁଥିବା ଅଭିଯୁକ୍ତ ରାଜା ସ୍ବାମୀ ଏହି ଗୁଳିଚାଳନା କରିଛନ୍ତି। ଏକ ଦେଶୀ ବନ୍ଧୁକରୁ ଅତି ନିକଟରୁ ଅତିକମ୍ରେ ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରୁ ୫ଟି ଖୋକା ମିଳିଛି।
ଗୁରୁତର ଅବସ୍ଥାରେ ଅନିଶଙ୍କୁ ବୁର୍ଲା ଭୀମସାରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରେ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ରାଜା ସ୍ବାମୀଙ୍କୁ ଅଟକ ରଖିବା ସହ ବ୍ୟବହୃତ ୭.୬୨ ଏମ୍ଏମ୍ ଘଟଣାର ପଛରେ ପରକୀୟା ପ୍ରୀତି କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।