୨ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଫେଲ୍‌

ଝୁମ୍ପୁରୀ,୩ା୫(ସରୋଜ ନାୟକ): ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଫେଲ୍‌ ମାରିଥିବା ଜଣାପଡ଼ିଛି। ଏହି ଦୁଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କେମିତି ଅଛି ତାହାର ଏକ ସରଜମିନ ତଦନ୍ତ କରିବାକୁ ଦଶରଥପୁର ଦମକଳ କେନ୍ଦ୍ର ପକ୍ଷରୁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଦୈତାରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଗୁରୁବାର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ତଦନ୍ତ ପରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ପ୍ରତିରୋଧ ବ୍ୟବସ୍ଥା ଠିକ୍‌ ନ ଥିବା ଜଣାପଡ଼ିଥିଲା। ଏଥିସହ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସାର୍ଟିଫିକେଟ୍‌ ମଧ୍ୟ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନ ଥିଲା। ଏହାପୂର୍ବରୁ ବୁଧବାର ଏହି ଅଧିକାରୀମାନେ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତନଖି କରିଥିଲେ। ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହି ଦୁଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଅବସ୍ଥା ସଙ୍ଗୀନ ହୋଇପଡ଼ିବ ବୋଲି ଜଣାପଡ଼ିଛି। ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ ମେଡିକାଲର ପ୍ରତ୍ୟେକ ରୁମ୍‌ରେ ଅଗ୍ନି ପ୍ରତିରୋଧକ ଗ୍ୟାସ୍‌ ସିଲିଣ୍ଡର ଟଙ୍ଗାଯିବା ସହ ଏକ ଓଭରହେଡ଼୍‌ ପାଣିଟାଙ୍କି ଜରୁରୀକାଳୀନ ପରିସ୍ଥିତି ପାଇଁ ନିର୍ମାଣ କରାଯାଇ ପାଣି ଭର୍ତ୍ତି କରି ରଖିବାକୁ ପଡ଼ିବ ବୋଲି କୁହାଯାଇଛି।