Categories: ଜାତୀୟ

ଗୋଦାମରେ ଅଗ୍ନିକାଣ୍ଡ କୌଣସି ଦୈବୀ ଘଟଣା ନୁହେଁ, ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୮।୧: ଏକ ମଦ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ଘଟିବା ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଏହା କୌଣସି ଦୈବୀ ଘଟଣା ନୁହେଁ। ଝଡ଼ବର୍ଷା, ବନ୍ୟା, ବଜ୍ରପାତ, ଭୂକମ୍ପ ଆଦି ପ୍ରାକୃତିକ ବାହ୍ୟ ଶକ୍ତି ଦ୍ୱାରା ଗୋଦାମରେ ଅଗ୍ନିକାଶ ଘଟି ନାହିଁ। ତେଣୁ ଏହାକୁ ଦୈବୀ ଘଟଣା କୁହାଯାଇ ପାରିବ ନାହିଁ।

ବିଚାରପତି ଏ.ଏମ୍‌. ଖାନଓ୍ବିଲକର, ଦିନେଶ ମାହେଶ୍ୱରୀ ଏବଂ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଅବକାରୀ ଟିକସ ଫାଙ୍କୁଥିବା କମ୍ପାନୀର ଆବେଦନକୁ ଖାରଜ କରିଛନ୍ତି। ସେହିପରି ଶୀର୍ଷକୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଦୈବୀ ଶକ୍ତି ଦ୍ୱାରା ଅଗ୍ନିକାଣ୍ଡ ଘଟିଥିବା ରାୟକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ ଟିକସ ଦେବାରୁ ସମ୍ପୃକ୍ତ କମ୍ପାନୀକୁ ଛାଡ କରିଥିଲେ।

ଖଣ୍ଡପୀଠ କହିଛନ୍ତି ଯେ, ଅଗ୍ନିକାଣ୍ଡ ଆପେଆପେ ହୋଇନାହିଁ। ଉପଯୁକ୍ତ ସମୟରେ ଦମକଳ ବାହିନୀ ଏବଂ ଆବଶ୍ୟକ ଅଗ୍ନିନିର୍ବାପକ ବ୍ୟବସ୍ଥାରା ଉପଯୋଗ ଦ୍ୱାରା ଏଥିରୁ ଦୂରେଇ ରହି ହୋଇଥାନ୍ତା। ୨୦୦୩ ଏପ୍ରିଲ୍‌ ୧୦ରେ ମଧ୍ୟାହ୍ନ ୧୨ଟା ୫୫ରେ ଘଟିଥିବା ଅଗ୍ନିକାଣ୍ଡକୁ ଏହାପର ଦିନ ଅପରାହ୍ନ ୫ଟାରେ କାବୁ କରାଯାଇଥିଲା। ଦୀର୍ଘ ସମୟ ଧରି ନିଆଁ ଜଳୁଥିଲେ ବି ଏହାକୁ ବିଳମ୍ବରେ ନିୟନ୍ତ୍ରଣ କରାଯାଇଥିଲା। ଏକ୍ଷେତ୍ରରେ ହାଇକୋର୍ଟଙ୍କ ଟିପ୍ପଣୀ ଯୁକ୍ତିଯୁୂକ୍ତ ମନେ ହେଉ ନ ଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସମ୍ପୃକ୍ତ କମ୍ପାନୀ ୬.୩୯ କୋଟି ଟଙ୍କାର ଅବକାରୀ ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ରାୟ ବିରୋଧରେ ଅବକାରୀ ବିଭାଗ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share