ମୃତ୍ୟୁ ଉପତ୍ୟକାରେ ଅଗ୍ନିବର୍ଷା

ନ୍ୟୁୟର୍କ, ୧୫ା୭: ବିଶ୍ୱର ବିଭିନ୍ନ ଦେଶରେ ମୌସୁମୀ ବର୍ଷା ଜାରି ଥିବାବେଳେ ଉତ୍ତର ଆମେରିକାର ମୃତ୍ୟୁ ଉପତ୍ୟକା ବା ଡେଥ୍‌ ଭ୍ୟାଲିରେ ଅଗ୍ନି ବର୍ଷୁଛି। କାଲିଫର୍ନିଆର ଦକ୍ଷିଣପୂର୍ବରେ ଥିବା ୨୨୫ କି.ମି. ଲମ୍ବ ପର୍ଯ୍ୟନ୍ତ ବ୍ୟାପ୍ତ ଏହି ଉପତ୍ୟକାରେ ଗତ ରବିବାର ତାପମାତ୍ରା ୫୪ ଡିଗ୍ରୀ ସେଲ୍‌ସିୟସ ରହିଥିଲାବେଳେ ବୁଧବାର ଏହା ୪୯ ଡିଗ୍ରୀ ସେଲ୍‌ସିୟସ ଥିବା ରେକର୍ଡ ହୋଇଛି। ୧୯୧୩ ମସିହାରେ ଡେଥ୍‌ ଭ୍ୟାଲି ତାପମାତ୍ରା (୫୬.୭ ଡିଗ୍ରୀ ସେଲ୍‌ସିୟସ) ବିଶ୍ୱର ସର୍ବାଧିକ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ କରିଥିଲା। ୨୦୨୦ ଅଗଷ୍ଟ ୧୬ରେ ତାପମାତ୍ରା ୫୪ ଡିଗ୍ରୀ ସେଲସିୟସ ଟପିଥିଲା। ଏବେ ସେହି ରେକର୍ଡର ପୁନରାବୃତ୍ତି ହୋଇଛି। ଗତ ଶୁକ୍ରବାର, ଶନିବାର ଓ ରବିବାର କ୍ରମାଗତ ୩ ଦିନ ଧରି ଏଠାକାର ତାପମାତ୍ରା ୫୪ ଡିଗ୍ରୀ ସେଲ୍‌ସିୟସ ଉପରେ ରହି ଦୁନିଆର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି।
ଶେଷ ଆଡ଼କୁ ଉତ୍ତରପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ଲହର ଯୋଗୁ ଓରେଗନ୍‌ ଏବଂ ଓ୍ବାଶିଂଟନ୍‌ରେ ପ୍ରାୟ ୨ ଶହ ଲୋକଙ୍କ ଜୀବନ ଗଲାଣି। ନିଜ ବାସସ୍ଥାନକୁ ଥଣ୍ଡା ରଖିବା, ଘରୁ ବାହାରିବା, ରାସ୍ତା ଘାଟରେ ଚାଲିବା ଲୋକଙ୍କ ପକ୍ଷରେ କଷ୍ଟକର ହୋଇପଡ଼ୁଛି। ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଯୋଗୁ ଗତ ସପ୍ତାହରେ ଉତ୍ତରପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ହେଉଥିବା ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି। ଊନବିଂଶ ଶତାବ୍ଦୀ ପରଠାରୁ ହାରାହାରି ତାପମାତ୍ରା ୨ ଡିଗ୍ରୀ ଫାରେନହାଇ୍‌ଟ ବଢ଼ିଛି। ଆଗକୁ ଏହା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ବିଶେଷ କରି କାଲିଫର୍ନିଆ, ନେଭାଡା, ଆରିଜୋନା, ଉଟାହ, ଓରେଗନ୍‌, ଇଡାହୋରେ ପ୍ରବଳ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

 

Share