ଡ୍ରାଏ ଫୁଡ୍‌ କାରଖାନାରେ ଅଗ୍ନିକାଣ୍ଡ

ରୂପସା, ୨୮।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗୁତୁଡ଼ିହା ଗ୍ରାମର ଏକ ଡ୍ରାଏ ଫୁଡ୍‌ କାରଖାନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ସୋମବାର ରାତିରେ ସୁମନ୍ତ ମଲ୍ଲିକଙ୍କ ବାସଭବନରେ ବିଦ୍ୟୁତ ସର୍ଟ ସର୍କିଟ୍‌ରୁ ନିଆଁ ଲାଗି ୩ ବଖରା ଘର ସହ ଏହି କାରଖାନା ଭସ୍ମୀଭୂତ ହୋଇଛି।
ସୁମନ୍ତ, ସ୍ତ୍ରୀ ସୁକେଶିନୀ ଓ ପୁଅ ରତିକାନ୍ତ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଗୁରୁତର ଆହତ ସୁକେଶିନୀଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୁମନ୍ତଙ୍କ ପରିବାର ଡ୍ରାଏ ଫୁଡ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।