ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସା ପ୍ରାୟ ୬ଟା ସମୟରେ କେହି ଦୁର୍ବୃତ୍ତ ପାହାଡ଼ରେ ନିଆଁ ଲଗାଇ ଦେଇଥିଲେ।
ଏହି ଘଟଣାର ଭିଡିଓ ଓ ଖବର ଡିଏଫଓ କେ.ଭି. ରାଓଙ୍କ ନିକଟରେ ପହଞ୍ଚିବା ପରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ସେମିଳିଗୁଡା ରେଞ୍ଜର ଏବଂ ଅନ୍ୟ ୬ ଜଣ କର୍ମଚାରୀ ବିଳମ୍ବିତ ରାତିରେ ପାହାଡ଼ ଉପରକୁ ଯାଇ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ପଡୁ ଚାଷ କରିବା ଉଦ୍ଦେଶ୍ୟରେ କିଛି ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ପାହାଡ଼ରେ ନିଆଁ ଲାଗିବା ଫଳରେ ମୂଲ୍ୟବାନ ଗଛଲତା ସହ ଅନେକ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ଏହି ଘଟଣା ପରେ ଡିଏଫଓ କେ. ଭି. ରାଓ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି। ସେ କହିଛନ୍ତି, “ଜଙ୍ଗଲ କିମ୍ବା ପାହାଡ଼ରେ ନିଆଁ ଲଗାଇ ଧନଜୀବନ ଓ ବନ୍ୟପ୍ରାଣୀଙ୍କୁ ବିପଦକୁ ଠେଲି ଦିଅନ୍ତୁ ନାହିଁ। ଏହା ଏକ ଦଣ୍ଡନୀୟ ଅପରାଧ।” ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିବା ସହ ନିଆଁ ନ ଲଗାଇବା ପାଇଁ ସେ ଅପିଲ କରିଛନ୍ତି।

