ବନାଗ୍ନି ଚିନ୍ତା: ଜିଲାରେ ୨୩ ହଟ୍‌ସ୍ପଟ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୧୬।୩: ବନାଗ୍ନି କବଳରୁ ଜୈବ ବିବିଧତାକୁ ସୁରକ୍ଷା ଦେବାକୁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଜିଲାର ବିଭିନ୍ନ ଜଙ୍ଗଲରେ ମୋଟ ୨୩ଟି ସମ୍ଭାବ୍ୟ ବନାଗ୍ନି ପ୍ରଭାବିତ ହଟସ୍ପଟ୍‌ ଚିହ୍ନଟ କରାଯାଇଛି। ସେସବୁ ସ୍ଥାନରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ଜଙ୍ଗଲ ନିଅଁା ଲିଭାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଏସ୍‌ପି, ଡିଏଫ୍‌ଓ, ଅଗ୍ନିଶମ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ନିଅଁା ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଉଭୟ ସହର ଏବଂ ଗ୍ରାମବାସୀଙ୍କୁ ସଚେତନ କରାଯିବ। ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗ୍ରାମାଞ୍ଚଳବାସୀଙ୍କ ସଚେତନ କରିବା ପାଇଁ ସରପଞ୍ଚ, ଓ୍ବାର୍ଡମେମ୍ବର ଏବଂ ଅନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନର ଜନପ୍ରତିନିଧିଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବୁଧବାର ମୁଖ୍ୟ ଶାସନ ସଚିବ ଏବଂ ପିସିସିଏଫ୍‌ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲାପାଳ, ବନଖଣ୍ଡ ଅଧିକାରୀ, ଏସ୍‌ପି ଓ ଅଗ୍ନିଶମ ଅଧିକାରୀଙ୍କୁ ବନାଗ୍ନିର ଭୟାବହତା ଏବଂ ଏହାର ପ୍ରତିକାର ସମ୍ପର୍କରେ ଅବଗତ କରାଇଛନ୍ତି। ବନାଗ୍ନି ସ୍ଥଳ ଚିହ୍ନଟ ପାଇଁ ସାଟେଲାଇଟ୍‌ର ସହାୟତା ନିଆଯିବ। ଅଗ୍ନିଶମ ସେବାସଂସ୍ଥା, ବନ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ନିଅଁାକୁ କିପରି ତ୍ୱରିତ ଆୟତ୍ତ କରାଯିବ, ସେ ନେଇ ଉଦ୍ୟମ କରିବେ। ପ୍ରତି ୨-୩ ସପ୍ତାହରେ ସ୍ଥିତିର ସମୀକ୍ଷା କରାଯିବ। ବ୍ଲକରେ ଅନୁଷ୍ଠିତ ମାସିକ ବୈଠକରେ ବିଡିଓ, ରେଞ୍ଜର, ଜନପ୍ରତିନିଧି, ଅଗ୍ନିଶମ ଅଧିକାରୀଙ୍କ ଉପସ୍ଥିତିରେ ଏହାର ସମୀକ୍ଷା କରାଯାଇ ଏହାର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଜିଲାର ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକ, ହିନ୍ଦୋଳ, ଓଡ଼ାପଡ଼ା, ସଦର ବ୍ଲକରେ ଥିବା ଜଙ୍ଗଲଗୁଡ଼ିକ ବନାଗ୍ନି ପ୍ରଭାବିତ ହେବା ଆଶଙ୍କା ବେଶି। ତେଣୁ ଉକ୍ତ ଜଙ୍ଗଲ ଇଲାକା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଜିଲାର ଜଙ୍ଗଲ ସମ୍ପଦକୁ ନିଅଁାଦାଉରୁ ରକ୍ଷା କରିବା ପାଇଁ ଜିଲାବାସୀଙ୍କୁ ନିବେଦନ କରାଯାଇଛି। ଲୋକଙ୍କୁ ଏ ଦିଗରେ ସଚେତନ କରାଇବା ପାଇଁ ପଞ୍ଚାୟତ ପ୍ରତିନିଧି, ଏସ୍‌ଏଚ୍‌ଜିକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ନିୟମିତ ସମୀକ୍ଷା କରାଯିବ।